ନକଲି ମଦ କମ୍ପାନିରେ ଚଢାଉ : ବିପୁଳ ପରିମାଣର ମଦ, ଠିପି, ବୋତଲ ଜବତ

92

କନକ ବ୍ୟୁରୋ : ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠରେ ଚାଲିଥିବା ନକଲି ମଦ ଫ୍ୟାକ୍ଟେରି ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ, ଠିପି, ବୋତଲ ଏବଂ ସ୍ପିରିଟ ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଅନୁଗୁଳ ଉପକଣ୍ଠ ପଂଚମହଲା ନିକଟରେ ଏକ ନକଲି ମଦ ଫ୍ୟାକ୍ଟେରିରେ ଏହି ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

ସୁଧାକର ମହାନ୍ତି ନାମକ ଜଣେ ବ୍ୟକ୍ତି ଘରେ ବିଦେଶୀ ମଦ ତିଆରି କରୁଥିବା ଜାଣିବାକୁ ମିଳିଥିଲା । ତାଙ୍କ ଘରେ ଚଢ଼ାଉ କରି ପ୍ରଥମେ ୩୧୪ ବୋତଲ ନକଳି ମଦ ଜବତ କରିଥିଲା । ପରେ ସୁଧାକରକୁ ଅଟକ ରଖି ପଚରାଉଚରା କରିବା ପରେ ବଣିଆବାହାଳ ଗାଁରେ ବିପୁଳ ପରିମାଣର ମଦ ଓ ମଦ ତିଆରୀ ସାମଗ୍ରୀ ଥିବା ସେ କହିଥିଲା । ତୁରନ୍ତ ସେହି ସ୍ଥାନରେ ଚଢ଼ାଉ କରି ୧୪୦ ଲିଟର ସ୍ପିରିଟ, ୩୫ଶହ ଠିପି ଓ ୩୦ ଲିଟର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ନକଲି ମଦ ତିଆରୀ କରି ବଜାରରେ ବିକ୍ରି କରୁଥିବା ଅଭିଯୋଗରେ ସୁଧାକରକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ।