ଆନ୍ଦୋଳନ ପୂର୍ବରୁ ଚାଷୀ ସଂଘକୁ ଝଟକା । ଦିଲ୍ଲୀରେ ହୋଇପାରିବନି ବିଶାଳ ସମାବେଶ । ମାର୍ଚ୍ଚ ୧୨ ପର୍ଯନ୍ତ ଲାଗିଲା କଟକଣା ।

283

କନକ ବ୍ୟୁରୋ: ଦିଲ୍ଲୀରେ ଆଗାମୀ ଏକ ମାସ ପର୍ଯ୍ୟନ୍ତ ବିଶାଳ ସମାବେଶ ଓ ରାଲି ଉପରେ ଲାଗିଲା ପ୍ରତିବନ୍ଧକ । ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇ ପାରିବ ନାହିଁ । କୃଷକଙ୍କ ଦିଲ୍ଲୀ ଚାଲ ଡାକରା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ପ୍ରଶାସନ ।

  • ବଡ଼ ସମାବେଶ ପାଇଁ କୃଷକ ସଜବାଜ
  • ଦିଲ୍ଲୀରେ ‘ପ୍ରଦର୍ଶନ-ରାଲି’ ଉପରେ ପ୍ରତିବନ୍ଧକ

୧୩ ଫେବ୍ରୁଆରୀ ମଙ୍ଗଳବାର ଦିଲ୍ଲୀରେ ଏକାଠି ହୋଇ ବିକ୍ଷୋଭ କରିବାକୁ ଆହ୍ୱାନ ଦେଇଛି ପଞ୍ଜାବ ଓ ହରିୟାଣାର ବିଭିନ୍ନ ଚାଷୀ ସଂଗଠନ । କୃଷକମାନେ ଟ୍ରାକ୍ଟର ରାଲି କରିବାକୁ ସଜବାଜ ହୋଇଛନ୍ତି । ହଜାର ହଜାର ସଂଖ୍ୟାରେ କୃଷକ ଏକ ସମୟରେ ଆନ୍ଦୋଳନ କରିବାକୁ ଥିବାରୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

  • ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ବିଶାଳ ସମାବେଶ ଉପରେ ପ୍ରତିବନ୍ଧକ
  • ରାଜଧାନୀକୁ ଟ୍ରାକ୍ଟର ପ୍ରବେଶ ଉପରେ ପ୍ରତିବନ୍ଧକ
  • ଇଟା, ପଥର, ଅସ୍ତ୍ରଶସ୍ତ୍ର, ପେଟ୍ରୋଲ କେନ୍, ସୋଡା ବୋତଲ ଉପରେ ରୋକ
  • ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ
  • ଆଦେଶ ଉଲ୍ଲଙ୍ଘନ କଲେ ଗିରଫ ପାଇଁ ଦିଲ୍ଲୀ ପୋଲିସର ଚେତାବନୀ

ନିଜର ବିଭିନ୍ନ ଦାବି ନେଇ ଦିଲ୍ଲୀ ଚାଲ ଡାକରା ଦେଇଛନ୍ତି ଚାଷୀ ସଙ୍ଗଠନ । ୧୩ ଫେବ୍ରୁଆରୀରେ ପଞ୍ଜାବର ଚାଷୀ ୧୦ ହଜାରରୁ ଅଧିକ ଟ୍ରାକ୍ଟର, ଟ୍ରକ୍ ଧରି ହରିୟାଣା ଦେଇ ଦିଲ୍ଲୀରେ ପ୍ରବେଶ ହେବେ । ସେଥିପାଇଁ ସମ୍ଭୁ, ଡବୱାଲି ଏବଂ ଖନୌରୀ ସୀମାକୁ ବଛାଯାଇଛି । ଏହି ସବୁ ସୀମା ଉପରେ ହରିୟାଣା ପୋଲିସ କଡା ନଜର ରଖିଛି । ପୂର୍ବରୁ କୃଷି ଆଇନ୍ ବିରୋଧରେ ଦିଲ୍ଲୀ ସୀମାନେ ମାସ ମାସ ଧରି ଧାରଣାରେ ବସିଥିଲେ ଚାଷୀ । ଏବେ ବି ଚାଷୀ ନିଜର କିଛି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀ ଚାଲ ଡାକରା ଦେଇଛନ୍ତି । ତେବେ କଣ ରହିଛି ଚାଷୀଙ୍କ ପ୍ରମୁଖ ଦାବି?

  • ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି
  • ଏମ୍ ଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା
  • ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା
  • ଜମି ଅଧିଗ୍ରହଣ ଅଧିନିୟମ ୨୦୧୩କୁ ପୁନଃ ଲାଗୁ କରିବା
  • ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ
  • ମୁକ୍ତ ବଜାର ଚୁକ୍ତିନାମା ଉପରେ ରୋକ
  • ଚାଷୀ ଆନ୍ଦୋଳନରେ ମୃତ କୃଷକଙ୍କ ପରିବାରକୁ ଭରଣପୋଷଣ, ପରିବାରର ଜଣଙ୍କୁ ସରକାରୀ ଚାକିରି
  • ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍

ଚାଷୀଙ୍କ କହିବା କଥା ସେମାନେ ଶାନ୍ତିପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କୁ ନିଜର ସମସ୍ୟା ଜଣାଇବାକୁ ଚାହୁଁଛନ୍ତି । ସେପଟେ ବିଜେପି କହିଛି କୃଷକ ଆନ୍ଦୋଳନ ପଛରେ କଂଗ୍ରେସର ହାତ ରହିଛି । କୃଷକଙ୍କୁ ଆନ୍ଦୋଳନ ପାଇଁ ଉତ୍ତେଜିତ କରାଯାଉଥିବା ବିଜେପି କହିଛି । ତେବେ ଦିଲ୍ଲୀ ପୋଲିସ ପ୍ରଶାସନର ୧୪୪ ଧାରା ଲାଗୁ କରିବା ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପରେ ଚାଷୀଙ୍କ ଆନ୍ଦୋଳନ ସମ୍ଭବ ହୋଇ ପାରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।