ସ୍ବଚ୍ଛଳ ବର୍ଗର ମେଧାବୀଙ୍କୁ ମିଳିବନି ଲ୍ୟାପଟପ୍ ! ବିଜୁ ଯୁବ ସଶକ୍ତୀକରଣ ଯୋଜନା ନିୟମାବଳୀରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ, ଏଥର ଜିଲ୍ଲାସ୍ତରରେ ଚୟନ ହେଲେ ମେଧାବୀ

ସ୍ବଚ୍ଛଳ ବର୍ଗର ମେଧାବୀଙ୍କୁ ମିଳିବନି ଲ୍ୟାପଟପ୍ ! ବିଜୁ ଯୁବ ସଶକ୍ତୀକରଣ ଯୋଜନା ନିୟମାବଳୀରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ, ଏଥର ଜିଲ୍ଲାସ୍ତରରେ ଚୟନ ହେଲେ ମେଧାବୀ

କନକ ବ୍ୟୁରୋ: ଆସନ୍ତାବର୍ଷଠାରୁ ସ୍ବଚ୍ଛଳ ବର୍ଗର ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବନି ଲ୍ୟାପଟପ୍। ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତ୨ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଉଥିବା ଲ୍ୟାପଟପ୍ ଗାଇଡଲାଇନରେ ଏଭଳି କିଛି ପରିବର୍ତ୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଲାଗୁ ହେବ କି ନାହିଁ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ।

ଗତ ତିନି ବର୍ଷ ହେଲା ଅନେକ ମେଧାବୀ ଛାତ୍ରଛାତ୍ରୀ ଲ୍ୟାପଟପ୍ ନେଉନାହାନ୍ତି। ସେମାନଙ୍କୁ ୪ରୁ ୫ ଥର ଅବଗତ କରାଯିବା ସହ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଉଥିଲେ ମଧ୍ୟ ଲ୍ୟାପଟପ୍ ନେବାକୁ ଆସୁନାହାନ୍ତି। ୮ରୁ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଛନ୍ତି। ଯେଉଁମାନେ ଅନୁପସ୍ଥିତ ରହୁଛନ୍ତି ସେମାନେ ମୁଖ୍ୟତଃ ସ୍ବଚ୍ଛଳ ବର୍ଗର ବୋଲି ଅନୁଧ୍ୟାନ ପରେ ଜଣାପଡ଼ିଛି। ସେମାନେ ଲ୍ୟାପଟପ୍ ନେଉ ନ ଥିବାବେଳେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଏଭଳି ଏକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ପ୍ରଚଳିତ ନିୟମରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଯେଉଁମାନଙ୍କୁ ଲ୍ୟାପଟପ୍ ଦିଆଯିବ ସେମାନଙ୍କ ପରିବାରର ରୋଜଗାର ବି ଦେଖାଯିବ। ଏକ ନିର୍ଦ୍ଦିଷ୍ଟ ବାର୍ଷିକ ଆୟ ଧାର୍ଯ୍ୟ କରାଯିବ। ଯେଉଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ଏହାଠାରୁ ତଳକୁ ଥିବ, ସେମାନଙ୍କୁ ଲ୍ୟାପଟପ୍ ଦିଆଯିବ।

ଅନ୍ୟପକ୍ଷରେ ପ୍ରତିବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ସହ ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ଭଲ ପ୍ରଦର୍ଶନ କରୁଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ ବଣ୍ଟନ କରାଯିବ। ଏଥର ନିୟମରେ କିଛିଟା ପରିବର୍ତ୍ତନ ଅଣାଯାଇଛି। ରାଙ୍କ ଅନୁଯାୟୀ ମେଧାବୀ ଛାତ୍ରଛାତ୍ରୀ ବଛାଯିବା ପରିବର୍ତ୍ତେ ଜିଲ୍ଲାସ୍ତରରେ ପାସହାରକୁ ଦୃଷ୍ଟିରେ ରଖି ମେଧାବୀ ତାଲିକା ପ୍ରକାଶ ପାଇଛି। ପ୍ରତି ଜିଲ୍ଲାରେ ଯେତିକି ପିଲା ପାସ୍ କରିଛନ୍ତି ସେହି ଅନୁଯାୟୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ବଣ୍ଟନ କରାଯିବ।

କଳା ବିଭାଗରେ ୫୪୦୦ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ଦିଆଯିବାକୁ ଥିବା ବେଳେ ବିଜ୍ଞାନ ବିଭାଗରେ ୭ ହଜାର, ବାଣିଜ୍ୟରେ ଦୁଇ ହଜାର, ସଂସ୍କୃତରେ ୪୦୦ ଓ ଧନ୍ଦାମୂଳକ ବିଭାଗରେ ୨୦୦ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ଦିଆଯିବ। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୬୨୪ଟି ଲ୍ୟାପଟପ ବଣ୍ଟନ ହେବାକୁ ଥିବା ବେଳେ ଗଞ୍ଜାମରେ ୧୫୨୨, କଟକରେ ୧୨୫୨, ବାଲେଶ୍ବରରେ ୧୧୧୧ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ଦିଆଯିବ। ଦେବଗଡ଼ରେ ସର୍ବନିମ୍ନ ୭୫ ଓ ବୌଦ୍ଧରେ ୮୨ଟି ବଣ୍ଟନ ହେବ। ଏଥିପାଇଁ ୩୦ଟି ଜିଲ୍ଲାରେ ୩୦ଟି କଲେଜକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe