କନକ ବ୍ୟୁରୋ : ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ଏନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Advertisment

୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି ।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡାରେ ପଟ୍ଟା ବଣ୍ଟନ ଆରମ୍ଭ ହେବ ।

ଗଞ୍ଜାମ ଜିଲ୍ଲାକୁ ଗତ ଅଗଷ୍ଟ ୨୬ ତାରିଖରେ ୫-ଟି ସଚିବ ଗସ୍ତ କରିଥିଲେ। ସେଠାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ମାତ୍ର ୫ ଦିନରେ ଜମି ସମସ୍ୟାର ସମସ୍ୟା ସମାଧାନ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ୍‌ର ୧୭ଟି ଗ୍ରାମର ୮୮୩ ଜଣ ଲୋକଙ୍କୁ ଘରଡିହ ପଟ୍ଟା ଦିଆଯିବ ଏବଂ ୨୦୨୩ ସେପ୍ଟେମ୍ବର ୨୨ ସୁଦ୍ଧା ସମସ୍ତ ପଟ୍ଟାବଣ୍ଟନ ପ୍ରକ୍ରିୟା ଶେଷ ହେବ । ସେହିପରି ୧୬୮ ଜଣ ଲୋକଙ୍କୁ ଚାଷଜମି ପାଇଁ ପଟ୍ଟା ଦିଆଯିବ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର ପହିଲାରୁ ଆରମ୍ଭ ହେବ।
.