କର୍ମଜୀବୀ ଓ ଦାଦନ ଶ୍ରମିକଙ୍କୁ ଘରଭଡ଼ା ଦେବାକୁ ବାଧ୍ୟ କରି ପାରିବେନି ଘରମାଲିକ: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶନାମା; କର୍ମଚାରୀଙ୍କ ଦରମା ନକାଟିବାକୁ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶ

ଗୋଟିଏ ମାସର ଭଡ଼ା ଦାବି କରିବେନି ଘରମାଲିକ

755

କନକ ବ୍ୟୁରୋ: କର୍ମଜୀବୀ ଓ ଦାଦନ ଶ୍ରମିକଙ୍କୁ ଗୋଟିଏ ମାସର ଘରଭଡ଼ା ଦାବି କରିପାରିବେନି ଘରମାଲିକ । ଏଭଳି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦାଦନ ଶ୍ରମିକ ନିଜ ରାଜ୍ୟ ଓ ସହରକୁ ଯିବା ପାଇଁ ରାସ୍ତାରେ ଭିଡ଼ କରୁଥିବା ବେଳେ କେନ୍ଦ୍ର ସରକାର ଏପରି ନିଷ୍ପତି ନେଇଛନ୍ତି । ସେହିପରି ଛାତ୍ର ଓ ଶ୍ରମିକଙ୍କୁ ଘର ମାଲିକମାନେ ଏହି ସମୟରେ ଘରୁ ବାହାର କରି ପାରିବେନି ବୋଲି ମଧ୍ୟ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସେହିପରି ତାଲାବନ୍ଦ ବେଳେ ନିଯୁକ୍ତିଦାତାମାନେ କର୍ମଚାରୀଙ୍କ ଦରମା କାଟି ପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଶିଳ୍ପାନୁଷ୍ଠାନ, କାରଖାନା, ଘରୋଇ କଂପାନୀ ଠାରୁ ଆରମ୍ଭ କରି ଦୋକାନ ଓ ଅନ୍ୟାନ୍ୟ ଘରୋଇ କାମ କରୁଥିବା କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମର ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖି ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଲକଡାଉନକୁ କଡାକଡି ଭାବେ ଲାଗୁ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଲକଡାଉନ ସମୟରେ ଲୋକମାନେ ଗାଁ ମୁହାଁ ହେଉଥିବା ଖବର ସାମନାକୁ ଆସିବା ପରେ ସମସ୍ତ ରାଜ୍ୟ ଓ ଜିଲ୍ଲା ସେମାନଙ୍କ ସୀମାକୁ ସିଲ୍ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଏହି ସମୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଲୋକ ଯାଇପାରିବେ ନାହିଁ । ଜାତୀୟ ରାଜପଥ ଉପରେ କୌଣସି ପ୍ରକାର ଯାତାୟତ ନହେବା ଆବଶ୍ୟକ । ରାସ୍ତାରେ କେବଳ ମାଲ ପରିବହନ କରୁଥିବା ଗାଡି ଯାତାୟତ କରିବ ।

ଜିଲ୍ଲାରେ କିଭଳି ଲକଡାଉନ ପାଳନ ହେବ ଏହା ଜିଲ୍ଲାପାଳ ଓ ଏସପିଙ୍କ ଦାୟିତ୍ୱ ବୋଲି କେନ୍ଦ୍ର କହିଛନ୍ତି । ତେବେ ପ୍ରବାସୀଙ୍କ ଶ୍ରମିକମାନେ ରହୁଥିବା ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଏପରିକି ଶ୍ରମିକମାନଙ୍କୁ ସମୟ ଅନୁସାରେ ସେମାନଙ୍କ ମଜୁରି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ସମୟରେ ଯଦି କୌଣସି ଛାତ୍ର ବା ଶ୍ରମିକଙ୍କୁ ଘର ଖାଲି କରିବାକୁ କେହି କହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିପିକୁ ନିର୍ଦ୍ଦେଶ ଦିଆଯାଇଛି ।