ଚନ୍ଦ୍ରଯାନ-୨ ପାଇଁ ଲାଣ୍ଡର ଦେବାକୁ ମନା କରିଥିଲା ଋଷ, ଦିନରାତି ଏକ କରି ସ୍ୱଦେଶୀ ଲାଣ୍ଡର ନିର୍ମାଣ କରି ପୂରା ବିଶ୍ୱକୁ ଚକିତ କରି ଦେଇଥିଲେ ଇସ୍ରୋର ବୈଜ୍ଞାନିକ ।

1,177

ଚନ୍ଦ୍ରଯାନ-୨ ମିଶନରେ ଭାରତକୁ ମିଳିଛି ବଡ ସଫଳତା । ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ । ଇସ୍ରୋ ଯେପରି ଆକଳନ କରିଥିଲା, ଠିକ୍ ସେହିଭଳି ଗତି କରୁଛି ଭାରତୀୟ ମହାକାଶଯାନ । ଆଜି ସଫଳତାର ସହ ଅର୍ବିଟର ଠାରୁ ଅଲଗା ହୋଇଛି ଲାଣ୍ଡର ବିକ୍ରମ । ପ୍ରାୟ ୨୦ ଘଣ୍ଟା ଧରି ଲାଣ୍ଡର ବିକ୍ରମ ଏବେ ଅର୍ବିଟର ପଛେ ପଛେ ସେକେଣ୍ଡ ପ୍ରତି ୨ କିଲୋମିଟର ବେଗରେ ଗତି କରିବ । ଆସନ୍ତା ୭ ତାରିଖ ବିଳମ୍ବିତ ରାତିରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଆଉ ଲାଣ୍ଡର ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଭାରତୀୟ ବୈଜ୍ଞାନିକଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ।

ଚନ୍ଦ୍ରଯାନ-୨ରୁ ସଫଳତାର ସହ ଅଲଗା ହୋଇଥିବା ଲାଣ୍ଡର ବିକ୍ରମ ଇସ୍ରୋର ସଂସ୍ଥାପକ ତଥା ଭାରତୀୟ ମହାକାଶ ଗବେଷଣାର ଜନକ ବିକ୍ରମ ସାରାଭାଇଙ୍କ ନାମ ଅନୁସାରେ ରଖାଯାଇଛି । ପ୍ରଥମେ ଇସ୍ରୋର ସ୍ପେଶ ଆପ୍ଲିକେସନ ସେଣ୍ଟର ଅହମ୍ମଦାବାଦରେ ଏହାର ଡିଜାଇନିଂ କରାଯାଇଥିଲା । ପରେ ଏହାକୁ ବାଙ୍ଗାଲୋର ୟୁଆରଏସସି ବିକଶିତ କରାଯାଇଥିଲା ।

ତେବେ ଚନ୍ଦ୍ରଯାନ-୨ ମିଶନ ପାଇଁ ଭାରତ ପ୍ରଥମେ ଋଷକୁ ଲାଣ୍ଡର ମାଗିଥିଲା । ତେବେ ଭାରତକୁ ଲାଣ୍ଡର ଦେବାକୁ ଋଷ ସିଧାସଳଖ ମନା କରିଥିଲା । କିନ୍ତୁ ଏତିକିରେ ହାର ମାନିନଥିଲେ ଭାରତୀୟ ବୈଜ୍ଞାନିକ । କଠିନ ପରିଶ୍ରମ ବଳରେ ସ୍ୱଦେଶୀ ଲାଣ୍ଡର ବିକଶିତ କରିବା ସହ ଏହାକୁ ଚନ୍ଦ୍ରଯାନ-୨ରେ ସାମିଲ କରିଥିଲେ । ଆଉ ଏହି ଲାଣ୍ଡରର ନାଁ ବିକ୍ରମ ରଖାଯାଇଥିଲା ।

ଅର୍ବିଟର ଠାରୁ ଅଲଗା ହେବା ପରେ ଆସନ୍ତା ୭ ତାରିଖରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ବିଳମ୍ବିତ ରାତିରେ ପ୍ରାୟ ୩୫ କିଲୋମିଟର ଉଚ୍ଚରୁ ଏହାର ଚନ୍ଦ୍ରର ଦକ୍ଷିଣ ଦିଗରେ ଅବତରଣ କରିବା ଆରମ୍ଭ କରିବ । ଅବତରଣ ସମୟରେ ସେକେଣ୍ଡ ପ୍ରତି ୨୦୦ ମିଟର ବେଗରେ ଗତି କରିବ ଲାଣ୍ଡର ବିକ୍ରମ । ଅବତରଣ କରିବାର ପ୍ରାୟ ୨ ଘଣ୍ଟା ପରେ ଲାଣ୍ଡର ବିକ୍ରମର ର୍ୟାମ୍ପ ଖୋଲିବ । ଏହା ଜରିଆରେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ସେକେଣ୍ଡ ପ୍ରତି ଏକ ସେଣ୍ଟିମିଟର ଗତି କରିବ । ପ୍ରାୟ ୧୪ ଦିନ ଧରି ଏହି ରୋଭର ଲଗାତାର ଭାବେ ଚାଲିବା ସହ ପ୍ରାୟ ୫୦୦ ମିଟର ଦୂରତା ଅତିକ୍ରମ କରିବ । ଆଉ ଏହି ସମୟରେ ଚନ୍ଦ୍ର ବାବଦରେ ଟିକିନିକି ତଥ୍ୟ ଦେବ ରୋଭର ।