ନିରାଶା ଭିତରେ ଆସିଲା ଆଶାର ଝଲକ ! ଚନ୍ଦ୍ରପୃଷ୍ଠରେ ମିଳିଲା ଲ୍ୟାଣ୍ଡର ବିକ୍ରମର ଠିକଣା, ଅର୍ବିଟର ପଠାଇଲା ଥର୍ମାଲ ଫଟୋ ।

2,213

କନକ ବ୍ୟୁରୋ : ନିରାଶା ଭିତରେ ଆଜି ଆଶାର ଏକ ଝଲକ ଦେଖାଦେଇଛି । ଚନ୍ଦ୍ରରେ ମିଳିଛି ଲ୍ୟାଣ୍ଡର ବିକ୍ରମର ଠିକଣା । ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରୁଥିବା ଅରବିଟର ଲ୍ୟାଣ୍ଡର ବିକ୍ରମର ଥର୍ମାଲ ଫଟୋ ପଠାଇଛି । ଏହି ଫଟୋ ପାଇବା ପରେ ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ଚେଷ୍ଟା କରୁଛନ୍ତି ଇସ୍ରୋର ବୈଜ୍ଞାନିକ । ସେପ୍ଟେମ୍ବର ସାତ ତାରିଖ ରାତି ଗୋଟାଏ ୫୩ ମିନିଟରେ ଇସ୍ରୋ ସହ ଲ୍ୟାଣ୍ଡରର ଯୋଗାଯୋଗ ବିଛିନ୍ନ ହେବା ପରେ ବିକ୍ରମକୁ ନେଇ ଲାଗି ରହିଥିଲା ଆଶଙ୍କା । ଆଉ ସେହି ଆଶଙ୍କା ଉପରୁ ପରଦା ହଠାଇଛି ଚନ୍ଦ୍ରକକ୍ଷରେ ଘୁରି ବୁଲୁଥିବା ଅରବିଟର । ଅରବିଟର ପଠାଇଥିବା ଫଟୋ ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ରହିଛି ଲ୍ୟାଣ୍ଡର ବିକ୍ରମ ।

ସେପ୍ଟେମ୍ବର ୭ ତାରିଖ । ସମୟ – ରାତି ୧ଟା ୫୩ ମିନିଟ । ଚନ୍ଦ୍ର ପୃଷ୍ଠରୁ ମାତ୍ର ୨.୧ କିଲୋମିଟର ଉଚ୍ଚତାରୁ ଲାଣ୍ଡର ବିକ୍ରମର ଏହି ଫଟୋ ଶେଷ ଫଟୋ ହୋଇ ରହିଯାଇଥିଲା । ତାପରଠାରୁ ବିକ୍ରମ ସହ ସଂପର୍କ ବିଚ୍ଛିନ୍ନ ହୋଇଗଲା । ଭାରତୀୟ ମହାକାଶ ବିଜ୍ଞାନର ପିତା କୁହାଯାଉଥିବା ଡକ୍ଟର ବିକ୍ରମ ସରାଭାଇଙ୍କ ନାରେ ନାମିତ ଏହି ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ବୈଜ୍ଞାନିକଙ୍କ ମଧ୍ୟରେ ବି ନିରାଶା ଛାଇଗଲା ।

ତେବେ ଆଜି ହଠାତ୍ ପୁଣି ଏକ ଖୁସି ଖବର ଆସିଲା । ଇସ୍ରୋର ମୁଖ୍ୟ କେ ଶିବନ୍ ଟ୍ୱିଟ୍ କଲେ ଯେ, ଲାଣ୍ଡର ବିକ୍ରମର ଅବସ୍ଥିତି ଜଣାପଡିଯାଇଛି । ଅରବିଟର, ଲାଣ୍ଡର ବିକ୍ରମର ଥର୍ମାଲ ଫଟୋ ପଠାଇପାରିଛି । ଚନ୍ଦ୍ରର ଶହେ କିଲୋମିଟର ଉଚ୍ଚତାରେ ପ୍ରଦକ୍ଷଣ କରୁଥିବା ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମର ଥର୍ମାଲ ଫଟୋ ଉଠାଇ ତାହାକୁ ଇସ୍ରୋକୁ ପଠାଇଛି । ଏହି ଘଟଣା ପରେ ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ଆଶାବାଦୀ ହୋଇପଡିଛି । ଯଦି ଲାଣ୍ଡର ବିକ୍ରମ ସୁରକ୍ଷିତ ଭାବେ ଧୀର ଅବତରଣ କରିଥାଏ ଏବଂ କେବଳ ଯଦି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ, ତେବେ ହୁଏତ ଯୋଗାଯୋଗା ପୁନଃସ୍ଥାପନର ସମ୍ଭାବନା ବି ରହିଛି ।

କିନ୍ତୁ ଏହି ସମ୍ଭାବନା ଖୁବ୍ କମ୍ ବୋଲି କୁହାଯାଉଛି । ୧୪୭୧ କେଜିର ଲାଣ୍ଡର ବିକ୍ରମ ଯଦି କ୍ଷୀପ୍ର ଗତିରେ ଯାଇ ପିଟି ହୋଇଥାଏ, ତେବେ ଆଉ କୌଣସି ଯୋଗାଯୋଗର ସମ୍ଭାବନା ନାହିଁ । ଶେଷ ମୁହୂର୍ତରେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକମାନେ ମଦ୍ରିଦ୍ସ୍ଥିତ ନାସା ଡିପ୍ ସ୍ପେସ୍ ସେଂଟର ଓ ମରିସସ୍ ସ୍ଥିତ ଭାରତୀୟ ଷ୍ଟେସନରେ ବିକ୍ରମର ଲିଙ୍କ୍ ଖୋଜିଥିଲେ । କିନ୍ତୁ ସେଠାରୁ ମଧ୍ୟ ସେହି ସମାନ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କାହିଁକି ଏହି ଘଟଣା ଘଟିଛି, ତାହା ଅନୁଧ୍ୟାନ କରାଯାଉଛି । କିନ୍ତୁ ପ୍ରାଥମିକ ସ୍ତରରେ ଜଣାପଡୁଛି, ଲାଣ୍ଡର ବିକ୍ରମର ଗତିକୁ କମ୍ କରିବା ପାଇଁ ହୋଇଥିବା ବ୍ୟବସ୍ଥାରେ କୌଣସି ତ୍ରୁଟିଦେଖାଯାଇ ଥାଇପାରେ ।

ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ତାଙ୍କ ପାଖରେ ସତ ଜାଣିବାପାଇଁ ଯଥେଷ୍ଟ ତଥ୍ୟ ରହିଛି ଏବଂ ବିଫଳତା ଅନୁଧ୍ୟାନ କମିଟି ଏହି ତଥ୍ୟ ସବୁକୁ ପରୀକ୍ଷାନିରୀକ୍ଷା କରୁଛି ।