ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମର ଭଗ୍ନାବଶେଷ । ନାସାର ଲୁନାର ଅରବିଟର କ୍ୟାମେରା କଲା ଠାବ, ଟ୍ୱିଟ୍ କରି ସୂଚନା ଦେଲା ଆମେରିକାର ମହାକାଶ ଗବେଷଣା ସଂସ୍ଥା

510

କନକ ବ୍ୟୁରୋ :ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମର ଭଗ୍ନାବଶେଷ  । ନାସାର ଲୁନାର ଅରବିଟର କ୍ୟାମେରା ବିକ୍ରମର ଏହି ଭଗ୍ନାବଶେଷକୁ ଠାବ କରିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ଟ୍ୱିଟ୍ କରି ଏହି ସୂଚନା ଦେଇଛି ।  ନାସା ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ଠାବ ହୋଇଯାଇଛି । ଚନ୍ଦ୍ରର ଫଟୋରେ ଦେଖାଯାଉଥିବା ନୀଳ ଓ ସବୁଜ ରଙ୍ଗର ଚିହ୍ନ ଗୁଡିକ ଚନ୍ଦ୍ରପୃଷ୍ଠରେ ବିକ୍ରମ ପଡିବା ପରର ପ୍ରଭାବ ଓ କ୍ଷତିଗ୍ରସ୍ତ ଅଂଚଳକୁ ଦର୍ଶାଉଛି । ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଧୀର ଅବତରଣ ପାଇଁ ଯୋଜନା ହୋଇଥିଲା । ହେଲେ ଅବତରଣର ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ନାସାର ଏହି ସଦ୍ୟ ସୂଚନାକୁ ଆଧାର କରି ଅଧିକ ଗବେଷଣା କରାଯିବ । ଫଳରେ କାହିଁକି ଏବଂ କେଉଁ ପରିସ୍ଥିତିରେ ବିକ୍ରମର ଅବତରଣ ବିଫଳ ହେଲା ତାହା ଜଣାପଡିବାର ସମ୍ଭାବନା ରହିଛି ।