କନକ ବ୍ୟୁରୋ: ଦୁଇ ସପ୍ତାହ ଧରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ପ୍ରଭାବରେ ଏହି ଦୁଇ ଜିଲ୍ଳାର ପାହାଡିଆ ଅଞ୍ଚଳରେ ମାଟି ଅତଡା ଭୁସ୍ଖଳନ ହେବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆଗାମୀ ୨ରୁ ୩ ଦିନ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଏହି ଦୁଇ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisment

ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ନଇ ନାଳ ଏବେ ଉଛୁଳିବାରେ ଲାଗିଛି। ପାହାଡିଆ ଅଞ୍ଚଳରେ ମାଟି ଅତଡା ଓ ଭୁସ୍ଖଳନ ଯୋଗୁ ଯାତାୟାତ ପ୍ରବାହିତ ହୋଇଛି। ଗୋଦାବରୀ ନଦୀରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ଯୋଗୁ ସାବେରୀ ଓ ସିଲେରୁ ନଦୀ କୁଳିଆ ଅଞ୍ଚଳବାସୀଙ୍କ ଚିନ୍ତା ବଢିଛି। ପୋଲାଭରମ ପ୍ରକଳ୍ପ ଦ୍ବାରା ପ୍ରଭାବିତ ମୋଟୁ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି ଜିଲ୍ଲା ପ୍ରଶାସନ।

ସେପଟେ କୋରାପୁଟ ଜିଲାରେ ଶନିବାର ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭୁତ ହୋଇଛି। ଏଠାରେ ଚଳିତ ବର୍ଷର ସବୁଠାରୁ ଅଧିକ ବର୍ଷା ଅର୍ଥାତ ୬୭. ୭୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୈପାରିଗୁଡା ରେ ସର୍ବାଧିକ ୧୬୩ ମିମି ବର୍ଷା ରେକର୍ଡ ହୋଇ ଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହବା ସହ ଗଛ ଉପୁଡି ଘର ଦ୍ୱାର ନଷ୍ଟ ହୋଇଛି । ଲମତାପୁଟ ଅଞ୍ଚଳରେ ସ୍କୁଲ ପିଲାମାନେ ବିପଦ ସଙ୍କୁଳ ଅବସ୍ଥା ରେ ନଇ ପାର ହୋଉ ଥିବା ଦେଖିବାକୁ ମିଳିଛି। ସେହିପରି ଜୟପୁର ବାର୍ଣିପୁଟ ଅଞ୍ଚଳରେ ଶବ କାନ୍ଧେଇ ଭରା ନଦୀ ପାର ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଆଜି ମଧ୍ୟ ଏହି ଦୁଇ ଜିଲ୍ଲାରେ ବର୍ଷା ଆଲର୍ଟ ଥିବା ଯୋଗୁ ପ୍ରଶାସନ ସଜାଗ ରହି ଥିବା ଜଣା ପଡିଛି।