ଝାଡ଼ଖଣ୍ଡ ଚାଲିଗଲା ଆବାସ ଟଙ୍କା ; ଋଣ ପରିଶୋଧ ପାଇଁ ଜମି ପଡିଲା ବନ୍ଧକ, ଟଙ୍କା ପାଇବାକୁ ପ୍ରଶାସନ ନିକଟରେ ଗୁହାରି

ଝାଡ଼ଖଣ୍ଡ ଚାଲିଗଲା ଆବାସ ଟଙ୍କା ; ଋଣ ପରିଶୋଧ ପାଇଁ ଜମି ପଡିଲା ବନ୍ଧକ, ଟଙ୍କା ପାଇବାକୁ ପ୍ରଶାସନ ନିକଟରେ ଗୁହାରି

କନକ ବ୍ୟୁରୋ: ଝାଡଖଣ୍ଡ ଚାଲିଗଲା ଆବାସ ଟଙ୍କା। ଘର ତିଆରି କରି ହଟହଟା ହିତାଧିକାରୀ। ଋଣ ପରିଶୋଧ ପାଇଁ ଜମି ପଡିଲା ବନ୍ଧକ। ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଗୁଡ଼ାରୁ ଆସିଛି ଏଭଳି ଘଟଣା।

ଗତ ୨୦୨୩ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଝାଡବନ୍ଧଗୁଡା ପଞ୍ଚାୟତର ମୁଦୁଲିଗୁଡ଼ାର ପଦ୍ମନ ବିଷୋୟୀଙ୍କ ସ୍ତ୍ରୀ କନକ ବିଷୋୟୀଙ୍କୁ କାର୍ୟ୍ୟାଦେଶ ମିଳିଥିଲା। ନୂଆ ଆବାସ କରିବା ଲାଗି ପୁରୁଣା ଘରକୁ ଭାଙ୍ଗି ଦେଇଥିଲେ। ଘର ତୋଳିବାକୁ ହାତ ଉଧାର କରି ପଥର, ବାଲି, ଇଟା ଜମା କରିଥିଲେ। ଏବଂ ନୂଆ ଘର କାମ ଆରମ୍ଭ କରିଦେଇଥିଲେ। କନକ ବିଷୋୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଜମା ହୋଇଥିବା ନେଇ ସରକାରୀ କର୍ମଚାରୀ କହିଥିଲେ। କିନ୍ତୁ ତାହା କନକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ନଥିଲା। କନକ ଖାତିଗୁଡା ସ୍ଥିତ ଏସବିଆଇ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟକୁ ଯାଞ୍ଚ କରାଇବା ପରେ ତାଙ୍କ ଆକାଉଣ୍ଟରେ ଜମା ହେବାକୁ ଥିବା ଟଙ୍କା ଝାଡଖଣ୍ଡର ଆକାଉଣ୍ଟଧାରୀ ଯୋଗେନ୍ଦ୍ର ମହନ୍ତଙ୍କ ଆକାଉଣ୍ଟକୁ ଚାଲିଯାଇଥିବା କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ପାଇଥିଲେ। କନକ ବିଷୋୟୀଙ୍କ ଆକାଉଂଟ ଓ ଯୋଗେନ୍ଦ୍ର ମହନ୍ତଙ୍କ ଆକାଉଂଟର ଶେଷ ୩ନମ୍ବରଟିରେ ସାମାନ୍ୟ ଫରକ ଥିବା ଦେଖିବାକୁ ମିଳିଛି। ତେବେ ଏମିତି ଭୁଲ୍ କେମିତି ହେଲା ବୋଲି ତାକୁ ନେଇ ପ୍ରଶ୍ନ ଉଠିଛି। ହେଲେ ଗୋଟିଏ ପଟେ ଘର କାମ ରେ ସବୁ ଟଙ୍କା ସାରି ଦେଇଥିବା ବେଳେ ଦୀର୍ଘ ୧୫ ମାସ ଧରି ଟଙ୍କା ନ ପାଇବାରୁ ଉଧାର ଟଙ୍କା ପରିଶୋଧ ପାଇଁ ନିଜ ସନ୍ତକ ଥିବା ଜମି ବନ୍ଧକ ରଖିଦେଇଥିବା କହିଛନ୍ତି କନକଙ୍କ ଶ୍ୱଶୁର। ଜମି ବନ୍ଧକ ଥିବାରୁ ଚଳିତ ବର୍ଷ ଚାଷ କରିନଥିବା କହିଛନ୍ତି।

ଏନେଇ ବ୍ଳକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ। ହିତାଧିକାରୀଙ୍କ ଆଧାର କାର୍ଡ ଅନୁସାରେ ଟଙ୍କା ଟ୍ରାନ୍ସଫର ହେଉଥିବାରୁ ଏଥିରେ ବ୍ଲକ ପ୍ରଶାସନର ଭୁଲ ନ ଥିବା ପ୍ରକାଶ କରିଛନ୍ତି। ଏହାସହ ବ୍ୟାଙ୍କ କର୍ମଚାରୀଙ୍କ ଭୁଲ ଯୋଗୁଁ ହିତାଧିକାରୀଙ୍କ ଆକାଉଣ୍ଟ କୁ ଟଙ୍କା ନ ଯାଇ ଝାଡ଼ଖଣ୍ଡ ଚାଲିଯାଉଥିବା କହିଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ବ୍ଲକ ପ୍ରଶାସନ ତରଫରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଟଙ୍କା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିବା ପ୍ରକାଶ କରିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ। କିନ୍ତୁ ଦୀର୍ଘ ୧୫ ମାସ ଧରି ହିତାଧିକାରୀ ନିଜ ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ପ୍ରଶାସନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରେ ଦୋଷ ଲଦି ଦେଇ ଟଙ୍କା ଫେରସ୍ତ ନେଇ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe