କନକ ବ୍ୟୁରୋ : ହଜିଛି ଧାନ ବିଲ ଖୋଜୁଛି ଚାଷୀ । ସବୁ ଜାଣି ଚୁପ୍ ବସିଛନ୍ତି ନେତା ଓ ପ୍ରଶାସକ । ପୁରୀ କଣାସ ଅଂଚଳରେ ନଦୀ ଖୋଳି ଚାଷ ଜମି ପୋତୁଛି ଠିକା ସଂସ୍ଥା । ଏକର ଏକର ଜମି ପୋତିଯାଇଥିବା ବେଳେ ଚାଷ କରିପାରୁନାହାଁନ୍ତି ଚାଷୀ ।

ବିଲ ମଝିରେ ବସି ଜମି ଖୋଜୁଛି ଚାଷୀ ! ନଦୀ ଖୋଳି ଚାଷ ଜମି ପୋତିଦେଲା ଠିକା ସଂସ୍ଥା । କୁଆଡେ ଗଲା ମୋ ଜମି ? କେଉଠି ମୋ ଜମିର ସୀମା ? ଗହିର ମଝିରେ ମୁଣ୍ଡରେ ହାତଦେଇ ଏମିତି ନିଜ ବିଲ କଥା ଭାବୁଛି ଚାଷୀ । ଠିକା ସଂସ୍ଥାର ମନମାନି ଯୋଗୁ ଅସୁବିଧାରେ ପଡିଛି ଚାଷୀ । ନଦୀ ଖୋଳି ମନ ଇଛା ଚାଷ ଜମି ପୋତି ପକାଇଛି ଠିକା ସଂସ୍ଥା । ନାଁ ଜମିକୁ ଯାଇପାରୁଛି ଚାଷୀ ନାଁ କରିପାରୁଛି ଚାଷ କାର୍ଯ୍ୟ । ପୁରୀ ଜିଲ୍ଲା କଣାସ ଓ ଡେଲାଙ୍ଗ ବ୍ଲକର ୩ ଶହରୁ ଅଧିକ ଚାଷୀ ଏବେ କିପରି ଚାଷ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ଏପରି ସ୍ଥଳେ ବର୍ଷା ହେଲେ ମାଟି ଧୋଇ ନଦୀ ମୁହଁ ପୋତି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଅଭିଯୋଗ କଲେ ଠିକା ସଂସ୍ଥା ନାଲି ଆଖି ଦେଖାଉଥିବା କହିଛନ୍ତି ଚାଷୀ ।

ଖରାଦିନେ ପାଖରେ ଥିବା ଲୁଣା ନଦୀ ଶୁଖିଯାଉଥିବାରୁ ଚାଷ ଜମିକୁ ପାଣି ଯୋଗାଇ ପାରନ୍ତିନାହିଁ କଣାସ ଓ ଡେଲାଙ୍ଗ ବ୍ଳକର ଚାଷୀ । ଏହାକୁ ଦୃଷ୍ଟିରେ ରଖି ଡେଲାଙ୍ଗ ମୁନିଦା ଠାରୁ କଣାସ ବ୍ଲକର ମାଢିପୁର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ଲୁଣା ନଦୀ ଖନନ ନିଷ୍ପତି କରାଯାଇଥିଲା । ଏଥିପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଠିକାସଂସ୍ଥା ମାଟି ଉଠାଇ ନଦୀ ପାଖରେ ଥିବା ଚାଷ ଜମିରେ ପକାଉଛି । ଫଳରେ ପାଣି ଅଭାବରୁ ଚାଷ କରିପାରୁନଥିବା ଚାଷୀ ଏବେ ପାଣି ଆସିଲେ ମଧ୍ୟ ଚାଷ କରିପାରିବ ନାହିଁ । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛି ନିଳାଚଂଳ କୃଷକ ମହାସଂଘ । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସରକାରୀ ଅଧିକାରୀମାନେ କହୁଥିଲେ ମଧ୍ୟ କ୍ଷତିପୂରଣ ମିଳୁଛି ତାହା ଦେଖିବାକୁ ବାକି ରହିଲା ।