ପୁରୀରେ ଜାଗା ଯୋଗାଇ ଦେବାକୁ କହି ଲୁଟ୍ । ୬୫୦ ଜଣଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେଲା ସେଭେନ୍ ହିଲ୍ ରିୟର ଇଷ୍ଟେ୍ଟ୍ ସଂସ୍ଥା ।

ଜଣ ପିଛା ୨୫ ଲକ୍ଷ ଟଙ୍କା ଦେଇ ଘର ପାଇବାକୁ ଅନେଇ ରହିଛନ୍ତି ଗ୍ରାହକ

205

କନକ ବ୍ୟୁରୋ: ପୁରୀରେ ଜାଗା ଦେବାକୁ କହି ୬୫୦ ଲୋକଙ୍କୁ ଚୁନ ଲଗାଇଲା ରିୟଲ ଇଷ୍ଟେଟ୍ ସଂସ୍ଥା । ନୀଳାଚଳ ଧାମରେ ଜାଗା ଦେବାର ପ୍ରଲ୍ଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ସେଭେନ ହିଲ ରିୟଲ ଇଷ୍ଟେଟ ସଂସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୬୫୦ ଜଣ ଲୋକଙ୍କୁ ଏହି ସଂସ୍ଥା ଠକିଥିବା ଅଭିଯୋଗ ହୋଇଛି । ପୁରୀ ବଳିଆପଣ୍ଡା ଅଂଚଳରେ ୨୦୦୭-୦୮ରେ ଆରମ୍ଭ ହୋଇଥିଲା ସେଭେନ ହିଲ ଆପାର୍ଟମେଂଟ । ବ୍ରହ୍ମପୁରର କେଏସ ଶ୍ରୀନିବାସ ନାମକ ବ୍ୟକ୍ତି ଏହି ଆପାର୍ଟମେଂଟ କାମ ଆରମ୍ଭ କରିଥିଲେ ।

ସେ ସମୟରେ ଅନେକ ଲୋଭନୀୟ ଆଶା ଦେଖାଇ ଲୋକଙ୍କଠାରୁ ଅନଲାଇନ ବୁକିଂ କରିଥିଲା ସେଭେନ ହିଲ ରିୟଲ ଇଷ୍ଟେଟ ସଂସ୍ଥା । ପବିତ୍ର ଧାମ ପୁରୀରେ ଜାଗା ଖଣ୍ଡିଏ ପାଇବାକୁ ଆଶାୟୀ ପ୍ରାୟ ୬୫୦ ଜଣ ସେମାନଙ୍କ କଷ୍ଟ ଅର୍ଜିତ ଧନ ନିବେଶ କରିଥିଲେ । ୨୫ ଲକ୍ଷରୁ ଅଧିକ ଟଙ୍କା ଦେଇ ଫ୍ଲାଟ ସବୁ ବୁକ୍ କରିଥିଲେ । ହେଲେ ଲୋକଙ୍କଠାରୁ ଟଙ୍କା ନେଇ ଫେରାର ମାରିଛନ୍ତି ସଂପୃକ୍ତ ସଂସ୍ଥାର ମାଲିକ । ଅଧିକାଂଶ ଘର ଅଧାଗଢା ହୋଇ ପଡିରହିଥିବାବେଳେ, ଆପାର୍ଟମେଂଟ ମାଲିକ ଆଉ ଧରାଛୁଆଁ ଦେଉନାହାନ୍ତି ।

ମାମଲା କୋର୍ଟରେ ପହଂଚିବା ପରେ ଏକ ସତ୍ୟପାଠ ଦାଖଲ କରିଥିଲା ଆପାର୍ଟମେଂଟ ସଂସ୍ଥା । ୨୦୧୮ ଡିସେମ୍ବର ସୁଦ୍ଧା ଘର ସଂପୂର୍ଣ୍ଣ କରି ଗ୍ରାହକଙ୍କୁ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ଦେଇଥିଲା ସେଭେନ ହିଲ ରିୟଲ ଇଷ୍ଟେଟ । ହେଲେ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ସଂସ୍ଥା ଆଜିଯାଏଁ ଘର ଯୋଗାଇ ନାହିଁ । ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି, ଏ ସଂପର୍କରେ ନୋଟିସ କରି ଚୁପ ବସିପଡିଛି । ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଭଳି ଖିଲାପକାରୀ ସଂସ୍ଥା ବିରୋଧରେ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।