ଜମି ଦୁର୍ନୀତିର ଖୋଲିବ ଗୁମର! ଇଡି ରିମାଣ୍ଡରେ ହେମନ୍ତ ସୋରେନ

134

କନକ ବ୍ୟୁରୋ: ରିମାଣ୍ଡରେ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଇଡି ଖୋଲିବ ରାଂଚି ଜମି ଦୁର୍ନୀତିର ଗୁମର । ରାଂଚିସ୍ଥିତ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୫ ଦିନ ପାଇଁ ଇଡି ହେପାଜତକୁ ପଠାଇଛନ୍ତି । ଗୋଟିଏ ପଟେ ଝାଡଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ପାଇଛି । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁର୍ନୀତି ମାମଲାରେ ଫସିଛନ୍ତି । ତେବେ ୫ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି କୁହାଯାଇଛି ।

ଗିରଫର ଦୁଇଦିନ ପରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରିମାଣ୍ଡରେ ନେଇଛି ଇଡି । ଜମି ଦୁର୍ନୀତିର ଖୋଳତାଡ଼ ପାଇଁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ୫ ଦିନ ପାଇଁ ଇଡି ହେପାଜତକୁ ପଠାଇଛନ୍ତି ରାଂଚିସ୍ଥିତ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ । ସେପଟେ ଇଡି ଗିରଫଦାରିକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ସୋରେନ୍ । ସେଠାରେ ମଧ୍ୟ ତାଙ୍କୁ ଝଟ୍କା ଲାଗିଛିି । କାରଣ ହାଇକୋର୍ଟରେ କାହିଁକି ଆବେଦନ କଲେନାହିଁ ବୋଲି ପ୍ରଶ୍ନ କରି ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ସଂଜୀବ ଖାନ୍ନା, ଜଷ୍ଟିସ ଏମଏମ ସୁନ୍ଦରେଶ ଏବଂ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କ ଖଣ୍ଡପୀଠ କହିଥିଲେ-
ସମ୍ବିଧାନର ଧାରା ୩୨ ଅନୁସାରେ ଆମେ ଏହି ରିଟ୍ ପିଟିସନକୁ ଗ୍ରହଣ କରିପାରିବୁ ନାହିଁ
ଧାରା ୨୨୬ ଅନୁସାରେ ଆବେଦନକାରୀ ଏନେଇ ହାଇକୋର୍ଟରେ ଆବେଦନ କରିପାରିବେ

ଝାଡ଼ଖଣ୍ଡକୁ ମିଳିଛି ନୂଆ ମୁଖିଆ । ଘଡିସନ୍ଧି ମୁହୂର୍ତରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ୍ । ରାଂଚିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ହେମନ୍ତ ସୋରେନ ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏଥିସହ ଦଳର ବରିଷ୍ଠ ନେତା ତଥା ଜେଏମଏମ ଉପାଧ୍ୟକ୍ଷ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲମଗିରି ଆଲମ ଏବଂ ସତ୍ୟାନନ୍ଦ ଭୋକ୍ତା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗାମୀ ୫ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି କୁହାଯାଇଛି ।

ଜମି ଦୁର୍ନୀତି ମାମଲାରେ ୧୦ ଥର ସମନ କରିବା ପରେ ଗତ ବୁଧବାର ରାତିରେ ହେମନ୍ତ ସୋରନଙ୍କୁ ଗିରଫ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଏବେ ତାଙ୍କୁ ରିମାଣ୍ଡରେ ନେଇ ପୁରା ଦୁର୍ନୀତିର ଖୋଳତାଡ କରିବ ଇଡି ।