କରୋନା ମୁକ୍ତ ପରେ ବି ରହିଛି ପୁଣି ସଂକ୍ରମିତ ହେବାର ଭୟ । ପୁନଃ ସଂକ୍ରମଣ ଆଗରେ ସୁରକ୍ଷା କବଚ ହୋଇ ଛିଡା ହୋଇପାରିବନି ପ୍ରତିରୋଧକ ଶକ୍ତି ।

886

କନକ ବ୍ୟୁରୋ : କରୋନାରୁ ସୁସ୍ଥ ହେବା ପରେ ଶରୀରରେ ନିର୍ମିତ ଇମ୍ୟୁନିଟି ବା ଭୂତାଣୁ ପ୍ରତିରୋଧକ ଶକ୍ତି ସୁରକ୍ଷା କବଚ ନୁହେଁ । ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁନଃ ସଂକ୍ରମିତ ହେବାର ଭୟ ରହିଛି । ବିଶ୍ୱର ୪ଟି ପ୍ରାମାଣିକ ପୁନଃସଂକ୍ରମଣ ମାମଲାକୁ ନେଇ ଏକ ରିସର୍ଚ୍ଚ ଷ୍ଟଡି ପ୍ରକାଶ କରିଛି ପ୍ରତିଷ୍ଠିତ ଲାନସେଟ ଇନଫେକଟିଅସ ଡିଜିଜ ଜର୍ଣ୍ଣାଲ । ଏଥିରେ କୁହାଯାଇଛି, ଦ୍ୱିତୀୟ ଥର ସଂକ୍ରମିତ ବ୍ୟକ୍ତିଙ୍କ ଠାରେ କରୋନାର ଗମ୍ଭୀର ଲକ୍ଷଣ ଦେଖାଯାଉଛି ।

ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେଲା ପରେ ପୁଣି ଥରେ ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏପରି ଦାବି କରିଛି ମଙ୍ଗଳବାର ଲାନସେଟ ଇନଫେକଟିଅସ ଡିଜିଜ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିସର୍ଚ୍ଚ ଷ୍ଟଡି । ଆମେରିକାରେ ପୁନଃ ସଂକ୍ରମଣର ତଥ୍ୟକୁ ଉଲ୍ଲେଖ କରି ଷ୍ଟଡିରେ କୁହାଯାଇଛି, ଥରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଗଲେ, ଶରୀରରେ ସବୁଦିନ ପାଇଁ ଇମ୍ୟୁନିଟି ବା ଭୂତାଣୁ ପ୍ରତିରୋଧକ ଶକ୍ତି ଯେ ସୃଷ୍ଟି ହୋଇଯିବ ସେପରି ଗାରେଂଟି ନାହିଁ । ରିସର୍ଚ୍ଚ ଷ୍ଟଡିରେ କୁହାଯାଇଛି, କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇପାରନ୍ତି । ଉଦବେଗର ବିଷୟ ହେଉଛି ଦ୍ୱିତୀୟ ଥର କରୋନା ସଂକ୍ରମଣର ଶିକାର ବ୍ୟକ୍ତିଙ୍କ ଠାରେ କୋଭିଡ-୧୯ର ଗମ୍ଭୀର ଲକ୍ଷଣ ଦେଖା ଦେବାର ସମ୍ଭାବନା ବି ରହିଛି ।

ରିସର୍ଚ୍ଚ ଷ୍ଟଡିରେ ଉଦାହରଣ ଦେଇ କୁହାଯାଇଛି, ଆମେରିକାର ନେବାଡାର ଜଣେ ୨୫ ବର୍ଷିୟ ଯୁବକଙ୍କ ରିପୋର୍ଟ ନେଗେଟିଭ ଆସିବାର ୪୮ ଘଂଟା ପରେ ପୁଣି କରୋନା ଲକ୍ଷଣ ଦେଖା ଦେଇଥିଲା । ବଡ କଥା ହେଉଛି ସଂପୃକ୍ତ ଯୁବକଙ୍କ ଠାରେ ପ୍ରଥମ ସଂକ୍ରମଣ ଅପେକ୍ଷା ଦ୍ୱିତୀୟ ଥର ସଂକ୍ରମଣରେ କରୋନାର ଗମ୍ଭୀର ଲକ୍ଷଣ ଦେଖା ଦେଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଯୁବକଙ୍କୁ ଅକ୍ସିଜେନ ସପୋର୍ଟରେ ହସ୍ପିଟାଲକୁ ନେଇ ଭର୍ତି କରାଯାଇଥିଲା । ଲାନସେଟ ଇନଫେକଟିଅସ ଡିଜିଜ ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚ ପେପରରେ ସାରା ବିଶ୍ୱରେ ପ୍ରମାଣିତ ୪ଟି ପୁନଃ ସଂକ୍ରମଣ ମାମଲାକୁ ସ୍ଥାନ ଦିଆଯାଇଛି । ଏଥିରେ ବେଲଜିୟମ, ନେଦରଲାଣ୍ଡ, ହଂକଂ ଓ ଇକ୍ୱଡୋରର ଜଣେ ଲେଖାଏଁ ରୋଗୀ ସାମିଲ ଅଛନ୍ତି ।

ବିଶେଷଜ୍ଞ କହିଛନ୍ତି, କରୋନାର ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ପୁନଃ ସଂକ୍ରମଣ ସ୍ଥିତି ସାରା ବିଶ୍ୱରେ ଚାଲିଥିବା ମହାମାରୀ ବିରୋଧ ଲଢେଇ ଉପରେ ବଡ ପ୍ରଭାବ ପକାଇପାରେ । ସେପଟେ ନେବାଡାର ଷ୍ଟେଟ ପବ୍ଲିକ ହେଲଥ ଲାବରୋଟୋରୀରେ କାମ କରୁଥିବା ଓ କରୋନା ପୁନଃସଂକ୍ରମଣ ରିସର୍ଚ୍ଚର ନେତୃତ୍ୱ ନେଇଥିବା ଗବେଷକ ମାର୍କ ପେଣ୍ଡୋରୀ କହିଛନ୍ତି, କୋଭିଡ-୧୯ରୁ ମିଳିଥିବା ଇମ୍ୟୁନିଟି ବା ଭୂତାଣୁ ପ୍ରତିରୋଧକ ଶକ୍ତିକୁ ବୁଝିବାରେ ଦ୍ୱିତୀୟ ଥର କୋଭିଡ ସଂକ୍ରମଣ ବଡ ପ୍ରଭାବ ପକାଇପାରେ । କାରଣ ବର୍ତମାନ ସୁଦ୍ଧା କରୋନାର ମୁକାବିଲା ପାଇଁ କୌଣସି ଟିକା ବିକଶିତ ହୋଇପାରି ନାହିଁ । ଏହାଛଡା ସାର୍ସର୍ କୋଭିଡ-୨ ସଂପର୍କରେ ଆସିଥିବା ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବା ଇମ୍ୟୁନିଟ କେତେ ଦିନ ଯାଏଁ କାମ କରୁଛି । ସେହିପରି ଦ୍ୱିତୀୟ ସଂକ୍ରମଣ ବା ପୁନଃ ସଂକ୍ରମଣର ଶିକାର ବ୍ୟକ୍ତିଙ୍କ ଠାରେ କରୋନାର ଗମ୍ଭୀର ଲକ୍ଷଣ ଦେଖାଯାଉଛି କାହିଁକି ? ଏ ସଂପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।