କନକ ବ୍ୟୁରୋ: ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି କରୋନା । ଆଉ ଏହି ସମୟରେ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ କରୋନାକୁ ନେଇ ଏକ ରିପୋର୍ଟ ଜାରି କରିିଛି । ରିପୋର୍ଟରେ କୁହାଯାଇଛି , କରୋନା ଭୂତାଣୁ ବାୟୁ ମାଧ୍ୟମରେ ବି ସଂକ୍ରମିତ ହୋଇଥାଏ । କୋଭିଡ ୧୯ ଭୂତାଣୁକୁ ନେଇ ଅଧିକ ଅନୁଧ୍ୟାନ କରୁଥିବା ଟିମ୍ , ଏହା ବାୟୁମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇଥାଏ ବୋଲି ଯଥେଷ୍ଟ ପ୍ରମାଣ ହାସଲ କରିଥିବା କୁହାଯାଇଛି ।
ରିପୋର୍ଟରେ ଆହୁରି କୁହାଯାଇଛି, ବାହାର ଅପେକ୍ଷା ଘର ଭିତରେ ବି ହେବ ସଂକ୍ରମଣ । କାଶ, ଛିଙ୍କ ନଥିବା ବ୍ୟକ୍ତିଙ୍କଠାରୁ ୪୦ ପ୍ରତିଶତ ସଂକ୍ରମଣ ଆଶଙ୍କା ରହିଛି । ଜୀବାଣୁର ଗୋଟିଏ ବୁନ୍ଦା ବାୟୁରେ ପଡିଲେ ଏହା ସଂକ୍ରମିତ ହୋଇଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ସହିତ କଥା ହେଲେ ଜଣେ ସଂକ୍ରମଣର ଶିକାର ହୋଇଥାଏ ବୋଲି ବୋଲି କହିଛି ଲାନସେଟ ରିପୋର୍ଟ ।
ରିପୋର୍ଟରେ ଆହୁରି କୁହାଯାଇଛି, କଥା ହେବା, ଗୀତ ଗାଇବା, ଛିଙ୍କିବା, ନିଶ୍ୱାସ ପ୍ରଶ୍ୱାସରେ ବି ସଂକ୍ରମଣ ହୋଇପାରେ । ତେବେ କରୋନାରୁ ରକ୍ଷା କରିବା ପାଇଁ ବି ଉପାୟ କହିଛି ମେଡିକାଲ ଜର୍ଣ୍ଣାଲ । ଏଥିରେ କୁହାଯାଇଛି ଯେ, ବାୟୁବାହିତ ସଂକ୍ରମଣକୁ ଏଡାଇବାକୁ ହେଲେ ଭିଡ କମାଇବାକୁ ପଡିବ । ମାସ୍କ ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ । ଘର ଭିତରେ ବି ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ବି ଉଚ୍ଚମାନର ପିପିଇ କିଟ୍ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛି ଲାନସେଟ୍ ରିପୋର୍ଟ । ଏହାଛଡା ସାମାଜିକ ଦୂରତା ମାନିବା ସହ କୋଭିଡ ଗାଇଡଲାଇନରେ ରହିବାକୁ ପଡିବ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି ।