କନକ ବ୍ୟୁରୋ : କୁହାଯାଏ ବିଫଳତା ହିଁ ସଫଳତାର ବାଟ ଦେଖାଏ । କିଛି ନୂଆ କରିବାକୁ ମନରେ ସାହସ ଭରିଦିଏ । ଯାହା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ତିରଣପଦାର ଗାଁର ତପନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ପ୍ରଥମେ କୁକୁଡ଼ା ଚାଷ କରି କ୍ଷତି ସହିବା ପରେ ଏବେ ଘାସ ବିକି ପରିବାର ପ୍ରତିପୋଷଣ କରୁଛନ୍ତି ତପନ ।

Advertisment

୩ ଏକର ଜମିରେ ଲାଗିଛି ବିିଭିନ୍ନ ପ୍ରକାରର ଘାସ । ଜୟସିୟା, ସିଲେକ୍ସନ୍, ମେକ୍ସିକାନ୍, ବ୍ଲଡ ଲିଫ୍ ଭଳି ଘାସ ଚାଷ କରି ଲାଭବାନ ହେଉଛନ୍ତି ବାଲିଅନ୍ତ । ବ୍ଲକ ତିରଣପଦାର ଗାଁର ତପନଜ୍ୟୋତି । କଳିଙ୍ଗ, ବାରବାଟି ଷ୍ଟାଡିୟମ ସହିତ ବିଭିନ୍ନ ପାର୍କ ଓ ମନ୍ଦିର ଆଦି ସ୍ଥାନକୁ ଏହି ଘାସ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ତପନ । ୨୦୦୦ ମସିହାରୁ ତପନ ନିଜ ବାଡ଼ିରେ ଚାଷ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ମାଟି କୁଣ୍ଡରେ ଏହି ଗଛ ଲଗାଇଥିଲେ । ଏଥିରେ ସଫଳ ହେବା ପରେ ଏବେ ଏକର ଏକର ଜମିରେ ହୋଇଛି ଘାସ ଚାଷ ।

ତପନ ଜଣେ ବହୁମୁଖୀ ଚାଷୀ ଭାବେ ସ୍ଥାନୀୟ ଅଂଚଳରେ ବେଶ ଜଣାଶୁଣା । ନିଜେ ସ୍ୱାବଲମ୍ବୀ ହେବା ପାଇଁ ସେ ୧୯୯୮ ମସିହାରେ ପ୍ରଥମେ କୁକୁଡ଼ା ଚାଷ ଆରମ୍ଭ କରିଥିଲେ । ହେଲେ ବାର୍ଡଫ୍ଲୁ ଓ ଝଡ଼ ପବନ ଯୋଗୁଁ କୁକୁଡ଼ା ଚାଷରେ କ୍ଷତିଗ୍ରସ୍ତ ହୋଇଥିଲେ ତପନ । ଏହା ପରେ ୧୦ ଏକର ଜମିରେ କୁସୁମ, ଗେଣ୍ଡୁଫୁଲ, ରଜନୀଗନ୍ଧା ଭଳି ଫୁଲ ଚାଷ କଲେ । ଏହା ସହ ପନିପରିବା ଚାଷ ମଧ୍ୟ କରିଥିଲେ । ପରେ ଖାଲି ପଡ଼ିଥିବା ପଡ଼ିଆ ଜମିରେ ଲନ୍ ଘାସ କରି ଏଥିରେ ସଫଳ ହୋଇଛନ୍ତି । ସ୍କୋୟାର ଫୁଟ୍ ଅନୁସାରେ ଏହାକୁ ବିକ୍ରି କରୁଛନ୍ତି ତପନ । ଏହି ଚାଷ ପାଇଁ ମାଟି, ଜରି ପଲିଥିନ୍, ଖତ ଓ ସାର ଆବଶ୍ୟକ ହେଉଥିବା ବେଳେ ୫ରୁ ୬ ମାସ ଭିତରେ ଏହା ବିକ୍ରି ଉପଯୋଗୀ ହୋଇଥାଏ । ଏହି ଚାଷ କରି ବାର୍ଷିକ ୫ରୁ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ତପନ ।

ନିଜେ ରୋଜଗାର କରିବା ସହ ଅନ୍ୟ ୧୫ଜଣଙ୍କୁ ଏହି କାମରେ ନିୟୋଜିତ କରିଛନ୍ତି ତପନ । ଏହା ସହ ବିଭିନ୍ନ ପ୍ରକାରର ଫୁଲ ଓ ଡିଜାଇନ୍ ଗଛ ଚାରା କରି ମଧ୍ୟ ସେ ବିକ୍ରି କରନ୍ତି ।