ପଞ୍ଚାୟତର ନିଷ୍ପତ୍ତି, ବିପିଏଲରେ ରହିବାକୁ ହେଲେ ଦେବାକୁ ପଡିବ ମଦ ଛାଡିବାର ଶପଥ ପତ୍ର

1,631

କନକ ବ୍ୟୁରୋ : ଦେଶକୁ ମଦମୁକ୍ତ କରିବାକୁ ଅନେକ ସାମାଜିକ ସଂଗଠନ ବାରମ୍ବାର ଦାବି କରିଆସୁଛନ୍ତି । କିଛି ରାଜ୍ୟ ସରକାର ବି ସେମାନଙ୍କ ରାଜ୍ୟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏହାର ପ୍ରଭାବ ମଦ ପିଉଥିବା ଓ ବିକ୍ରି କରୁଥିବା ଲୋକଙ୍କ ଉପରେ ଯେ ପଡୁଛି ସେଭଳି କିଛି ନଜରକୁ ଆସୁନି । ହେଲେ ଏବେ ପଞ୍ଚାୟତ ସ୍ତରରେ ମଦ ବନ୍ଦ କରିବାକୁ ଏକ ଅଭିନବ ପ୍ରୟାସ କରାଯାଇଛି ।

ସୂଚନା ମୁତାବକ ହିମାଚଳ ପ୍ରଦେଶ ହମୀରପୁର ଜିଲ୍ଲାର ଲମ୍ବଲୁ ଗ୍ରାମପଞ୍ଚାୟତର ସରପଂଚ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ସେ ପଞ୍ଚାୟତରେ ଥିବା ରାସନ କାର୍ଡ ଧାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଯଦି ବିପିଏଲରେ ରହିବାକୁ ଚାହୁଁଛନ୍ତି ତେବେ ମଦ ଛାଡିବାକୁ ପଡିବ । ଏହାସହ ପଞ୍ଚାୟତ ଅଫିସରେ ଆଗକୁ ମଦ ପିଇବ ନାହିଁ ବୋଲି ଏକ ଶପଥପତ୍ର ଦେବାକୁ ପଡିବ ।

ଏନେଇ ଗ୍ରାମପଞ୍ଚାୟତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଏଭଳି ପ୍ରସ୍ତାବ ପାରିତ କରାଯାଇଛି । ଏନେଇ ମଦପିଉଥିବା ବିପିଏଲ କାର୍ଡଧାରୀ ମାନଙ୍କୁ ପଞ୍ଚାୟତ ତରଫରୁ ୧୦ ଦିନର ମହଲତ ଦିଆଯାଇଛି । ୧୦ ଦିନ ମଧ୍ୟରେ ପଞ୍ଚାୟତର ସମସ୍ତ ବିପିଏଲ କାର୍ଡଧାରୀମାନଙ୍କୁ ଏନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଶପଥପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଚାୟତରେ ଏଭଳି କିଛି ମାମଲା ସାମ୍ନାକୁ ଆସିବା ପରେ ପଞ୍ଚାୟତ ପ୍ରଧାନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ମଦପିଇ ଝାମେଲା କରୁଛନ୍ତି ସେମାନଙ୍କୁ ବିପିଏଲରୁ ବାହାର କରିଦିଆଯିବ ।