ପୁଣି ଲାଲୁଙ୍କୁ କୋର୍ଟର ଝଟକା  । କୋର୍ଟରେ କାଟ ଖାଇଲା ଜାମିନ ଆବେଦନ । ଦେଢ ମାସ ପରେ ଶୁଣାଣି ନେଇ ସ୍ପଷ୍ଟ କଲେ କୋର୍ଟ ।

104

କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି କୋର୍ଟ ଝଟକା ଦେଇଛି । ଝାଡଖଣ୍ଡ ହାଇକୋର୍ଟ ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନକୁ ୬ ସପ୍ତାହ ଯାଏ ଘୁଂଚାଇ ଦେଇଛନ୍ତି । ଫଳରେ ଲାଲୁ ଜେଲରୁ ମୁକୁଳିବାକୁ ନେଇ ଥିବା ଆଶା ପୁଣି ଦେଢମାସ ଯାଏ ମଉଳି ଯାଇଛି । ସୂଚନା ଥାଉକି ଲାଲୁଙ୍କ ଓକିଲ ସପ୍ଲିମେଣ୍ଟାରୀ ଏଫିଡେପିଟ୍ ଦାଖଲ କରିବାକୁ କୋର୍ଟଙ୍କୁ ଅତିରିକ୍ତ ସମୟ ମାଗିଥିଲେ । ଏହା ପରେ ଲାଲୁଙ୍କୁ ଜାମିନ ପ୍ରଦାନ କରିବାକୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ।

ଲାଲୁ ଯାଦବଙ୍କ ଉପରେ ଚାରା ଘୋଟାଲାକୁ ନେଇ ଅନେକ ମାମଲା ରୁଜୁ ହୋଇଛି । ଆଜି ଶୁଣାଣି ହୋଇଥିବା ମାମଲାଟି ୫ ନମ୍ବର ମାମଲା ଭାବେ ରୁଜୁ ହୋଇଥିଲା । ଏହି ମାମଲା ଝାଡଖଣ୍ଡ ଡେରଡା କୋଷାଗାରରୁ ବେନିୟମ ଭାବେ ଟଙ୍କା ଉଠାଣକୁ ନେଇ ହୋଇଥିଲା । ଏଥିରେ ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଥିଲା । କହିରଖୁ କି ଲାଲୁ ଯାଦବଙ୍କ ଉପରେ ଚାରା ଘୋଟାଲାକୁ ନେଇ ହୋଇଥିବା ମାମଲାରୁ ୩ ଟି ମାମଲାରେ ଲାଲୁଙ୍କୁ ଜାମିନ ମିଳିସାରିଛି । ଡେରେଡା କୋଷାଗାର ମାମଲାରେ ଆଜି (ଡିସେମ୍ବର ୧୧ ତାରିଖରେ) ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ଏହି ଶୁଣାଣିକୁ ପୁଣି ୬ ସପ୍ତାହ ଘୁଂଚାଇ ଦେଇଛନ୍ତି ।

ଲାଲୁ ଯାଦବଙ୍କୁ ଯେଉଁ ୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ତାହା ମଧ୍ୟରୁ ୩ ଟି ମାମଲାରେ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି । ଲାଲୁଙ୍କୁ ମିଳିଥିବା ଦଣ୍ଡ ମଧ୍ୟରୁ ଅଧା ସମୟ ସେ ଜେଲରେ କାଟି ସାରିଥିବା ଆଧାରରେ କୋର୍ଟ ତାଙ୍କୁ ଅଧା ସମୟ ସଜା କାଟିଥିବା ଆଧାରରେ ଜାମିନ ପ୍ରଦାନ କରିଥିଲେ । ଦୁମକା କୋଷାଗାର ମାମଲାରେ ସେ ଏହି ଆଧାରରେ ଜାମିନ ପାଇଁ ଆବେଦନ କରିଥିଲେ । ଏହା ସହ ଅସୁସ୍ଥତା କାରଣ ବି ଦର୍ଶାଇଥିଲେ । କହିରଖୁ କି ତଦନ୍ତକାରୀ ସଂସ୍ଥା ସିବିଆଇ ଲାଲୁ ଯାଦବଙ୍କ ମାମଲାରେ ପ୍ରଥମରୁ ଜାମିନକୁ ବିରୋଧ କରୁଛନ୍ତି । ହେଲେ ବିଭିନ୍ନ ଆଧାରରେ ଲାଲୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଚାଲିଛନ୍ତି ।