ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ କିନ୍ତୁ ପଲଟୁରାମ ବିଜେପି ସହ ଚାଲିଗଲେ : ଲାଲୁ

201

କନକ ବ୍ୟୁରୋ : ଦୀର୍ଘ ଦିନର ବ୍ରେକ ପରେ ପୁଣିଥରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଆଉ ପ୍ରଚାର ମୈଦାନକୁ ଓହ୍ଲାଇବା କ୍ଷଣି ନିଜର ପୁରୁଣା ଅନ୍ଦାଜରେ ସମ୍ବୋଧନ କରିଛନ୍ତି ଲାଲୁ । ସ୍ୱର ଟିକିଏ ନରମ ପଡିଛି ସତ କିନ୍ତୁ ଅନ୍ଦାଜ ସେହିଭଳି ପୁରୁଣା ରହିଛି । ଲାଲୁ କହିଛନ୍ତି, ବିହାରବାସୀ ତେଜସ୍ୱୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ବାଛି ସାରିଥିଲେ କିନ୍ତୁ ନୀତିଶ କୁମାର ବେଇମାନି କରି ସରକାର ଗଢିଛନ୍ତି । ଯଦି ସେହି ସମୟରେ ମୁଁ ବାହାରେ ଥାଆନ୍ତି ତେବେ ନୀତିଶ କୁମାର ଏଭଳି ସାହସ କରିପାରିନଥାନ୍ତେ । କିନ୍ତୁ ଏବେ ମୁଁ ଆସିଗଲିଣି, ଏବେ ଆପଣଙ୍କ ଗହଣରେ ରହିବି ।

ତାରାପୁର ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଲାଲୁ କହିଛନ୍ତି, ସାମ୍ପ୍ରଦାୟିକ ଶକ୍ତି ଠାରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ବିଜେପି ସହ ମୁଁ କେବେ ବୁଝାମଣା କରିନାହିଁ । କିନ୍ତୁ ନୀତିଶ କୁମାର ନାଥୁରାମ ଗଡେଶଙ୍କ ସମର୍ଥକ ହୋଇଗଲାଣି । ନୀତିଶ ପୂର୍ବରୁ କହିଥିଲେ ମାଟିରେ ମିଶିଯିବି ପଛେ ବିଜେପି ସହ ହାତ ମିଳାଇବି ନାହିଁ । ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ କିନ୍ତୁ ପଲଟୁରାମ ବିଜେପି ସହ ଚାଲିଗଲେ ।

ନୀତିଶଙ୍କୁ ଅହଙ୍କାରୀ ବୋଲି କହିବା ସହ ଲାଲୁ କହିଛନ୍ତି, ତେଜସ୍ୱୀ ଯାଦବ ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଦ ହଜାଇ ସାରିଲେଣି । ଏବେ ମୁଁ ମୈଦାନକୁ ଆସିଛି । ତେଜସ୍ୱୀ ଯାଦବଙ୍କୁ ବିହାରବାସୀ ଜିତାଇଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦେଖିବାକୁ ଚାହୁଁଥିଲେ କିନ୍ତୁ ନୀତିଶ କୁମାର ୮ଟି ସିଟରେ ବେଇମାନି କରି ଆମ ପ୍ରାର୍ଥୀଙ୍କୁ ହରାଇ ଦେଇଛନ୍ତି । ସେତେବେଳେ ମୁଁ ଜେଲରେ ଥିଲି, ବାହାରେ ରହିଥିଲେ ନୀତିଶ ଏଭଳି ସାହସ କରିପାରିନଥାନ୍ତେ ।

ଲାଲୁ କହିଛନ୍ତି, ବିଜେପି ସରକାର ସମୟରେ ରେଳ, ଜାହାଜ ସବୁ କିଛି ବିକ୍ରି ହୋଇଗଲାଣି । ବିହାରରେ ଏବେ ଲୋକଙ୍କୁ କାମ ମିଳୁନାହିଁ । ସେହିଭଳି ଜାତିଗତ ଜନଗଣନାକୁ ନେଇ ଲାଲୁ କହିଛନ୍ତି, ଯଦି ଦେଶରେ ପଶୁପକ୍ଷୀଙ୍କର ଗଣନା ହୋଇପାରୁଛି ତେବେ ମଣିଷଙ୍କର ଗଣନା କାହିଁକି ବା ହୋଇପାରିବନି ।