ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଣି ନିରାଶ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ମିଳିଲାନି ଜାମିନ୍।

60

କନକ ବ୍ୟୁରୋ : ପୁଣି ନିରାଶ ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ ମିଳିସାରିଛି  କିନ୍ତୁ ଦୁମକା କୋଷାଗାର ମାମଲାରେ ତାଙ୍କ ଜାମିନ ଅଟକି ରହିଛି ।

ଖରାପ ସ୍ବାସ୍ଥ୍ୟ ଓ ଅଧାରୁ ଅଧିକ ସମୟ ଜେଲଦଣ୍ଡ କାଟିସାରିଥିବା ଦର୍ଶାଇ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । ତେବେ ସିବିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏହି ମାମଲାରେ ଲାଲୁ ଏପର୍ଯ୍ୟନ୍ତ ଅଧା ସମୟ କାଟିନାହାନ୍ତି । ଧାର୍ଯ୍ୟ ଜେଲ ସମୟର ଅଧା ହେବାକୁ ଆଉ ପ୍ରାୟ ୨ ମାସ ବାକି ରହିଛି ବୋଲି ସିବିଆଇ ପକ୍ଷରୁ ଯୁକ୍ତି କରାଯାଇଥିଲା । ମାତ୍ର ଲାଲୁଙ୍କ ଓକିଲ କପିଲ ସିବଲ କହିଥିଲେ ଯେ, ଗୋଖାଦ୍ୟ ଦୁର୍ନୀତିର ଆଉ କେତେକ ଅଭିଯୁକ୍ତଙ୍କୁ ପୂର୍ବରୁ ଅଧା ଜେଲଦଣ୍ଡ ହୋଇନଥିଲେ ବି ଜାମିନ ଦିଆଯାଇଥିଲା । ତେବେ ସିବିଆଇର ଯୁକ୍ତିକୁ କୋର୍ଟ ଗ୍ରହଣ କରି ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ଆଜି ଜାମିନ ଆବେଦନ ଖାରଜ ହେବା ପରେ ଆଉ ୬୦ ଦିନ ପରେ ପୁଣି ଜାମିନ ପାଇଁ ଆବେଦନ କରିପାରିବେ ଲାଲୁ । କାରଣ ସେତେବେଳକୁ ସେ ଧାର୍ଯ୍ୟ ଜେଲ ଅବଧିର ଅଧା ସମୟ କାଟିସାରିଥିବେ ।