ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଇଲେ ଦଣ୍ଡାଦେଶ ।

139

କନକ ବ୍ୟୁରୋ : ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ । ଚାରା ଘୋଟଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । କେବଳ ଜେଲଦଣ୍ଡ ନୁହେଁ ବରଂ ଜରିମାନା ବାବଦକୁ ୬୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲାଲୁଙ୍କ ଓକିଲଙ୍କ କହିବା ଅନୁଯାୟୀ, ଖୁବଶୀଘ୍ର ଜାମିନ ପାଇଁ ଆବେଦନ କରାଯିବ । ତେବେ ଜାମିନ ନ ମିଳିଲେ ଲାଲୁଙ୍କୁ ପୁଣିଥରେ ଜେଲରେ ରହିବାକୁ ପଡିବ ।

ଚାରା ଘୋଟାଲାରେ ଲାଲୁ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ସିବିଆଇ ଅନୁଯାୟୀ, ଲାଲୁ ଯେବେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଚାରା ଦୁର୍ନୀତି ହୋଇଥିଲା । ଏହାପୂର୍ବରୁ ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପୂର୍ବରୁ ୪ଟି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତେବେ ୩୬ ମାସ ଜେଲ ଦଣ୍ଡ ଭୋଗି ସାରିଥିବା ଲାଲୁ ଏବେ ଜାମିନରେ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଖରାପ ପାଇଁ ଲାଲୁଙ୍କୁ ଜାମିନ ମିଳିଛି । ପୂର୍ବରୁ ଗତ ଫେବ୍ରୁଆରୀ ୧୫ରେ ସିବିଆଇର ସ୍ପେଶାଲ କୋର୍ଟ ଚାରା ଦୁର୍ନୀତି ମାମଲାର ଶୁଣାଣି କରିଥିଲେ ମଧ୍ୟ କୌଣସି ରାୟ ଦେଇନଥିଲେ । ଆଉ ଆଜି ଅନଲାଇନରେ ହୋଇଥିବା ଶୁଣାଣିରେ ସାମିଲ ହୋଇଥିଲେ ଲାଲୁ । ଆଉ ଶୁଣାଣି ଶେଷ ହେବା ପରେ ଲାଲୁଙ୍କୁ ଜେଲ ଦଣ୍ଡାଦେଶର ରାୟ ଦେଇଥିଲେ ।