ଆଜି ଜେଲରୁ ମୁକୁଳି ପାରନ୍ତି ଲାଲୁ ଯାଦବ । ବିହାରେରେ ଚାଲିଛି ସ୍ୱାଗତ ପାଇଁ ଆୟୋଜନ

178

କନକ ବ୍ୟୁରୋ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ବଡ ଖବର ଆସିଛି । ଆଜି ଜେଲରୁ ମୁକୁଳିପାରନ୍ତି ଲାଲୁ । ଆଜି ଦିନ ୧୨ ଟା ପୂର୍ବରୁ ରାଞ୍ଚି ସ୍ଥିତ ବିର୍ଶାମୁଣ୍ଡା ଜେଲରୁ ଦିଲ୍ଲୀ ଏମସ୍ କୁ ରିଲିଜ ଅର୍ଡର ର କପି ମିଳିବାର ସମ୍ଭାବନା ରହିଛି । ଏହା ହେଲେ ଅପରାହ୍ନ ସୁଦ୍ଧା ଲାଲୁ ଯାଦବ ଜେଲରୁ ବାହାରି ପାରନ୍ତି । କହିରଖୁ କି ଲାଲୁଙ୍କୁ ଜେଲରୁ ବାହାର କରିବାକୁ ବିର୍ଶାମୁଣ୍ଡା ଜେଲ କର୍ତ୍ତୁପକ୍ଷ ଗୁରୁବାର ଦିନ ଏମସ୍ କୁ ରିଲିଜ ପାଇଁ ସଫ୍ଟ କପି ପଠାଇ ଦେଇଥିଲେ । ହେଲେ ଦିଲ୍ଲୀ ଏମସ୍ ରିଲିଜ୍ କରିବା ପୂର୍ବରୁ ଜେଲ କର୍ତ୍ତୁପକ୍ଷକୁ ରିଲିଜ ଅର୍ଡରର ହାର୍ଡ କପି ମାଗିଛନ୍ତି ।

କୁହାଯାଉଛି କି ଜେଲରୁ ମୁକୁୂଳିବା ପରେ ଲାଲୁ ଯାଦବ ଘରକୁ ଫେରିବେ କି ମେଡିକାଲରେ ରହିବେ ତାହା ଏମସ୍ ସ୍ଥିର କରିବ । ଅନ୍ୟପଟେ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ମୁତାବକ ଜେଲରୁ ମୁକୁଳିବା ପରେ ଲାଲୁ ଦିଲ୍ଲୀ ସ୍ଥିତ ମିସା ଭାରତୀ ଙ୍କ ଘରେ ରହିବେ । ଏନେଇ ସେଠାରେ ପ୍ରସ୍ତୁତି ଚାଲିଥିବା କଥା କୁହାଯାଇଛି । ଅନ୍ୟପଟେ ପରିବାର ଲୋକେ କହିଛନ୍ତି କି କୋଭିଡ କାରଣରୁ ଲାଲୁ ଯାଦବ ଜେଲରୁ ମୁକୁଳିବା ପରେ ଏମସ୍ ରେ ରହିବା ସୁରକ୍ଷିତ ।

ସୂଚନା ଥାଉକି ଦୁମକା କୋଷାଗରରୁ ଅବୈଦ୍ଧ ଅର୍ଥକାରବାରକୁ ନେଇ ଚାଲିଥିବା ମାମଲାରେ ଜାମିନ ପରେ ଲାଲୁ ଯାଦବ ଜେଲରୁ ବାହାରକୁ ବାହାରିପାରି ନଥିଲେ । ଏବେ ଜାମିନ ପ୍ରକ୍ରିୟା ଶେଷ ହେବା ପରେ ସେ ଜେଲରୁ ବାହାରିବା ନେଇ ରାସ୍ତା ସଫା ହୋଇଛି ।