କନକ ବ୍ୟୁରୋ: ବିହାର ରାଜନୀତିକୁ ନେଇ ପିକେଙ୍କ ବଡ ବୟାନ । ବିଶିଷ୍ଟ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବିହାର ରାଜନୀତିକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି, ଯାହାକି ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛନ୍ତି । ସେ କହିଛନ୍ତି, ଭବିଷ୍ୟତରେ ବିହାରର କେଉଁ ନେତା କେଉଁ ଦଳକୁ ଯିବା ତାହା କେହି ବି ଜାଣିନାହାଁନ୍ତି । ବିହାରରେ ଆଜି ଯାହା ରାଜନୈତିକ ବ୍ୟବସ୍ଥା ଅଛି, ଆଗାମୀ ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ବେଳକୁ ସେମିତି ଥିବ ବୋଲି କିଛି ଠିକ୍ ନାହିଁ କହିଛନ୍ତି ପ୍ରଶାନ୍ତ କିଶୋର ।
ବିହାର ରାଜନୀତିର ଦୁଇଟି ଭେଟେରାନ୍ ନେତା ଲାଲୁ ଏବଂ ନୀତିଶ ଏବେ ଏନଡିଏ ବିରୋଧୀ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଉଛନ୍ତି । ଏପରିକି ବିରୋଧୀମାନଙ୍କୁ ଏକଜୁଟ୍ କରିବାରେ ନୀତିଶ ହିଁ ସର୍ବପ୍ରଥମେ ସାମ୍ନାକୁ ଆସିଥିଲେ । ହେଲେ ଏବେ ପ୍ରଶାନ୍ତ କିଶୋରଙ୍କ ଏହି ବୟାନ ବିହାର ରାଜନୀତିକୁ ପୁଣିଥରେ ଚର୍ଚ୍ଚାକୁ ନେଇ ଆସିଛି ।
ତାଜା ବୟାନ ଦେଇ ପିକେ କହିଛନ୍ତି, ବିହାରରେ ଆଜି ଯାହା ରାଜନୈତିକ ବ୍ୟବସ୍ଥା ଅଛି, ତାହା ଆଗାମୀ ବିଧାନସଭା ନିର୍ବାଚନ କିମ୍ବା ଲୋକସଭା ନିର୍ବାଚନ ବେଳକୁ ନଥାଇପାରେ । ଭବିଷ୍ୟତରେ ବିହାରର କେଉଁ ନେତା କେଉଁ ଦଳକୁ ଯିବେ, ତାହା କେହି ବି କହିପାରିବେନି । ବର୍ତ୍ତମାନ ବିହାରରେ ୭ଟି ଦଳକୁ ନେଇ ମେଣ୍ଟ ରହିଛି, ହେଲେ ଆଗକୁ ସେମିତି ରହିବ ବୋଲି କିଛି ପକ୍କା ନୁହେଁ କହିଛନ୍ତି ପ୍ରଶାନ୍ତ କିଶୋର ।
ଉଦାହରଣ ଦେଇ ସେ କହିଛନ୍ତି, ୨୦୧୫ ମସିହାରେ ବିହାରରେ ମହାମେଣ୍ଟ ଗଠନ ହେଇଥିଲା । ଯେଉଁଥିରେ କି ରାଷ୍ଟ୍ରୀୟ ଜନତା ଦଳ ଏବଂ ଜନତା ଦଳ ୟୁନାଇଟେଡ୍ ମିଶିକରି ନିର୍ବାଚନ ଲଢିଥିଲେ । ଫଳସ୍ୱରୂପ ବିଜେପି ବିହାରରେ ପରାଜୟ ଭୋଗିଥିଲା, ଆଉ ମହାମେଣ୍ଟ ବିଜୟ ହାସଲ କରିଥିଲା । ତେବେ ସେତେବେଳେ ବିହାରରେ ୩ଟି ଦଳକୁ ନେଇ ମେଣ୍ଟ ଗଠନ ହେଇଥିବାବେଳେ, ଏବେ ଏହା ୭ଟି ଦଳକୁ ନେଇ ହେଇଛି । ତେଣୁ ଭବିଷ୍ୟତରେ କେଉଁ ଦଳର କେମିତି ସ୍ଥିତି ରହିବ, ତାହା କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।
ସୂଚନାଯୋଗ୍ୟ ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜି-୨୦ ସମ୍ମିଳନୀର ରାତ୍ରିଭୋଜନରେ ଯୋଗ ଦେବାକୁ ନେଇ ଗୋଟିଏ ପଟେ ରାଜନୀତି ଆରମ୍ଭ ହୋଇଛି । ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ମାନେ ଏହି ରାତ୍ରିଭୋଜନକୁ ଯାଇନଥିବାବେଳେ, ମମତା ଏବଂ ନୀତିଶ ଏହି ରାତ୍ରିଭୋଜନରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନୀତିଶଙ୍କ ସହ ଠିଆ ହେଇଥିବାର ଫଟୋ ମଧ୍ୟ ସେୟାର କରିଥିଲେ । ଯାହାକି ବିରୋଧୀଙ୍କ କଟା ଘା’ରେ ଚୂନ ଲଗାଇଥିଲା । ଆଉ ଏହାରି ଭିତରେ ପ୍ରଶାନ୍ତ କିଶୋରଙ୍କ ଏଭଳି ବୟାନ ରାଜନୈତିକ ଚର୍ଚ୍ଚା ଆରମ୍ଭ କରିଛି ।