କନକ ବ୍ୟୁରୋ: ୨୦୧୭ରେ ନୀତୀଶ କୁମାର ଯେତେବେଳେ ବିହାରରେ ଏକପାଖିଆ ଭାବେ ମହାମେଂଟରୁ ଓହରିଗଲେ, ସେତେବେଳେ ଏକାଧିକ ଥର ନୀତୀଶଙ୍କୁ କଡା ସମାଲୋଚନା କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । କେବେ ସାପ, କେବେ କ୍ଷମତା ଲୋଭି ତ ପୁଣିକେତେବେଳେ ରାଜନୀତିର ‘ପଲଟୁରାମ୍’ କହିବାକୁ ପଛାଇ ନାହାନ୍ତି ଲାଲୁ । କେବେ ଗାଳି ଦେଉଥିବା ଲାଲୁଙ୍କ ଦଳ ସହ ନୀତୀଶ ପୁଣି କୋଳାକୋଳି ହେବା ପରେ ଚର୍ଚ୍ଚାକୁ ଫେରିଛି ଲାଲୁ ପ୍ରସାଦ ଯାଦବଙ୍କ ପୁରୁଣା ବୟାନ ।

Kanak News is now on WhatsApp
Join and get latest news updates delivered to you via WhatsApp
ମନି ଲଣ୍ଡରିଂ ମାମଲାରେ ଲାଲୁଙ୍କ ପୁଅ ତେଜଶ୍ୱୀ ଯାଦବଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ୨୦୧୭ରେ ମହାମେଂଟରୁ ଓହରି ଆସିଥିଲେ ନୀତୀଶ । ତେଜଶ୍ୱୀଙ୍କୁ କାରଣ ଦର୍ଶାଇ ନୀତୀଶ ବିଜେପିର ହାତ ଧରିଥିଲେ । ହେଲେ କ୍ଷମତାରେ ରହିବା ପାଇଁ ବିଜେପି ସହ ଫିକ୍ସିଂ କରିଥିବା ଅଭିଯୋଗ କଲେ ଲାଲୁ । ଆଉ ସେତେବେଳେ ବେଶ ଚର୍ଚ୍ଚା ସାଉଁଟିଥିଲା ନୀତୀଶଙ୍କ ବୟାନ । ଆଗାମୀ ଦିନରେ ଆଉକେବେ ଆରଜେଡି ସହ ହାତ ମିଳାଇବାର ସମ୍ଭାବନା ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ ନୀତୀଶ କୁମାର ।
କେବେ ଖଟା କେବେ ମିଠା ଲାଲୁ-ନୀତୀଶଙ୍କ ଦୋସ୍ତି
– କଲେଜ ଜୀବନରୁ ପରସ୍ପରକୁ ଜାଣନ୍ତି ଲାଲୁ ଓ ନୀତୀଶ
– ୧୯୯୦ରେ ଲାଲୁଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ଥିଲା ନୀତୀଶଙ୍କ ଭୂମିକା
– ଦୁଇଜଣ ଯାକ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ଯୋଗଦେଲେ
– ଜନତା ଦଳକୁ ଲାଲୁ ନିୟନ୍ତ୍ରଣ କରୁଥିବାରୁ ଅଲଗା ହେଲେ ନୀତୀଶ
– ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ସହ ମିଶି ସମତା ପାର୍ଟି ଗଢିଲେ ନୀତୀଶ କୁମାର
– ୨୦୦୦ରେ ପ୍ରଥମଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ
– ୨୦୦୩ରେ ନିଜସ୍ୱ ଦଳ ଜେଡିୟୁ ଗଢିଲେ ନୀତୀଶ କୁମାର
– ୨୦୦୫ରେ ବିଜେପି ସହ ମିଶି ପୁଣିଥରେ କ୍ଷମତାରେ ବସିଲେ
– ବିଜେପି ସହ ୧୩ ବର୍ଷର ସଂପର୍କକୁ ୨୦୧୩ରେ ଭାଙ୍ଗିଦେଲେ
– କଂଗ୍ରେସ, ଆରଜେଡି ସହ ମିଶି ମହାମେଂଟ ସରକାର ଗଢିଲେ
– ୨୦୧୭ରେ ମହାମେଂଟରୁ ଓହରି ଆସି ବିଜେପି ସହ ସରକାର କଲେ
– ୨୦୨୦ରେ ବିଜେପି ସହ ମିଶି ନିର୍ବାଚନ ଲଢିଲେ ଓ ବିଜୟୀ ହେଲେ
– ଏବେ ପୁଣି ବିଜେପିର ହାତଛାଡି ମହାମେଂଟକୁ ଫେରିଛନ୍ତି ନୀତୀଶ
ସେଇଥିପାଇଁ ନୀତୀଶଙ୍କୁ ମାଷ୍ଟର ଅଫ ୟୁ-ଟର୍ଣ୍ଣ କହିଛି ବିଜେପି । କେବଳ କ୍ଷମତାରେ ରହିବା ପାଇଁ ପ୍ରତିଥର ରାଜନୈତିକ ସାଥୀ ବଦଳାଇ ଆସିଛନ୍ତି ନୀତୀଶ କୁମାର । କୁହାଯାଉଛି ୨୦୨୪ ପାଇଁ ବିରୋଧୀ କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚେହେରା ଅଭାବ ଥିବାରୁ ସେହି ଲକ୍ଷ୍ୟରେ ବିଜେପିଠାରୁ ଦୂରେଇ ଯାଇଛନ୍ତି ନୀତୀଶ ।