କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ଖୋର୍ଦ୍ଧାଗଡ । ଗଛ ଲତାରେ ପୁରି ଗଲାଣି ଇତିହାସର ମୂକସାକ୍ଷୀ ପାଲଟିଥିବା ରାଜ ଉଆସ । ଦେଶକୁ ସ୍ୱାଧୀନ କରିବାରେ ଅନେକ ସହିଦ ବଳିଦାନ ଦେଇଛନ୍ତି । ଅନେକ ବୀର ପାଇକଙ୍କ ସ୍ୱୃତିକୁ ସାଉଁଟି ସ୍ମୃତିର ସ୍ମାରକୀ ପାଲଟିଥିବା ଭାରତ ବର୍ଷର ଶେଷ ସ୍ୱାଧୀନ ଗଡ ଅସ୍ତିତ୍ୱ ପାଇଁ ଗୁମୁରି କାନ୍ଦୁଛି । ଗଡଖୋର୍ଦ୍ଧାରେ ଥିବା ଖୋର୍ଦ୍ଧା ଦୁର୍ଗ ସବୁବେଳେ ତାର ବୀରତ୍ୱ ଗାଥା ନେଇ ଚର୍ଚ୍ଚା ସାଉଁଟିଛି । ହେଲେ ପ୍ରଶାସନର ଉଦାସୀନତା ଯୋଗୁ ଏହି ଲାଲ ମାଟିର ଇତିହାସ ପାଲଟିଥିବା ସ୍ମାରକୀ ଭୂତ କୋଠାର ଭ୍ରମ ସୃଷ୍ଟି କରୁଛି । ୧୯୭୮ ମସିହାରୁ ରାଜ୍ୟ ପ୍ରତ୍ନତତ୍ତ୍ୱ୍ ବିଭାଗ ଖୋର୍ଦ୍ଧା ଦୁର୍ଗର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ହେଲେ ଏବେ ବି ଏହା ଅବହେଳିତ ହୋଇପଡିଥିବା ବେଳେ କୌଣସି ଦିନ ପର୍ଯ୍ୟଟକଙ୍କ ପାଦ ବି ପଡିନି ଏହି ସ୍ଥାନରେ ।

Advertisment

ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ କାମ ଆରମ୍ଭ ହୋଇଥିଲା । ତିନି ସ୍ତମ୍ଭ ସ୍ମାରକୀରୁ ନେଇ ଆଲୋକୀକରଣ, ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଏବେ ଅବହେଳିତ ହୋଇପଡିଛି । ଏବେ ବି ରାଜଉଆସରେ ଥିବା ରାଣୀ ପୋଖରୀ ଗୁମୁରି କାନ୍ଦୁଛି । ସ୍ମୃତିର ସ୍ମାରକୀ ପାଲଟିଥିବା ଉଆସର ପୁନରୁଦ୍ଧାର ଦାବି କରାଯାଇଛି ।

ପୁଣି ଥରେ ଦେଶର ଶେଷ ସ୍ୱାଧୀନ ଦୁର୍ଗର ପୁନରୁଦ୍ଧାର କରାଯିବା ସହ ପର୍ଯ୍ୟଟକଙ୍କ ଆଗମନ ଉପରେ ଗୁରୁତ୍ୱ ଦିଆଯାଇପାରିଲେ ଇତିହାସର ବାର୍ତାବହ ଏହି ଦୁର୍ଗ ପୁନର୍ଜୀବିତ ହୋଇପାରିବ ।