କନକ ବ୍ୟୁରୋ : ସଂଯୁକ୍ତ ଜନତା ଦଳ ବା ଜେଡିୟୁର ଅଧ୍ୟକ୍ଷ ପଦରୁ ଲଲନ୍ ସିଂ ଇସ୍ତଫା ଦେଇଛନ୍ତି । ପାର୍ଟି ତରଫରୁ ଲଲନ୍ ସିଂଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି । ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂ ଇସ୍ତଫା ଦେବା ପରେ ସେ ଏହି ପଦ ପାଇଁ ନୀତିଶ କୁମାରଙ୍କ ନାମ ସୁପାରିଶ କରିଥିଲେ । ପାର୍ଟିର ବରିଷ୍ଠ ନେତା କେ.ସି ତ୍ୟାଗୀ କହିଛନ୍ତି କି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଗତ କିଛିଦିନ ହେବ ଜେଡିୟୁର ସାଂଗଠନିକ ପରିବର୍ତ୍ତନକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା ।

Advertisment

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଲଲନ ସିଂ ଆଜିର କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବାକୁ ସାଥିରେ ପହଂଚିଥିଲେ । ବୈଠକରେ ଲଲନ୍ ସିଂ ଇସ୍ତଫା ଦେଇ କହିଥିଲେ କି, ଆଗାମୀ ନିର୍ବାଚନରେ ନିଜକୁ ସକ୍ରିୟ ରଖିବା ପାଇଁ ସେ ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛନ୍ତି । ଏବଂ ଅଧ୍ୟକ୍ଷ ପଦ ପାଇଁ ନୀତିଶ କୁମାରଙ୍କ ନାମ ସୁପାରିଶ କରୁଛନ୍ତି । ଏହାପରେ ତୁରନ୍ତ ନୀତିଶ କୁମାରଙ୍କ ନାମ ଉପରେ ମୋହର ଲାଗିଥିଲା ।

ଗତ କିଛିଦିିନ ହେବ କିଛି ଗଣମାଧ୍ୟମ ଅଟକଳ ଲଗାଇଥିଲେ କି , ନୀତିଶ ସରକାରଙ୍କ ସହଯୋଗୀ ଆରଜେଡି ସହ ନୀତିଶଙ୍କ ଘନିଷ୍ଠତା କାରଣରୁ ଲଲନ ସିଂ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ଗତବର୍ଷ ଅଗଷ୍ଟ ମାସରେ ଜେଡିୟୁ ଓ ବିଜେପିର ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ କୁମାର ଆରଜେଡି ମେଣ୍ଟରେ ସରକାର ଗଠନ କରିଥିଲେ ।