ଲଲନ୍ ସିଂହ କ୍ୟାବିନେଟ୍ ମନ୍ତ୍ରୀ, ରାମନାଥ ଠାକୁର ରାଷ୍ଟ୍ରମନ୍ତ୍ରୀ । ଜେଡିୟୁ କୋଟାରୁ ଏହି ଦୁଇ ନେତା ମୋଦୀ କ୍ୟାବିନେଟରେ ହେବେ ସାମିଲ୍ ।

263

କନକ ବ୍ୟୁରୋ: ଜେଡିୟୁ କୋଟାରୁ ଦୁଇ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେବେ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଲଲନ୍ ସିଂହ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ରାମନାଥ ଠାକୁର ଶପଥ ଗ୍ରହଣ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳୁଛି । ତେବେ ଲଲନ୍ ସିଂହ ବିହାରର ମୁଙ୍ଗେର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଜିତି ଏଥର ଲୋକସଭାରେ ପହଞ୍ଚିଛନ୍ତି । ସେହିପରି ରାମନାଥ ଠାକୁର ରାଜ୍ୟସଭା ସାଂସଦ ରହିଛନ୍ତି । ଜେଡିୟୁ କୋଟାରୁ ଏହି ଦୁଇ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ଏଥର ଲୋକସଭା ନିର୍ବାଚନରେ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିଛି । ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭.୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ।

ତେବେ ମୋଦୀ ମନ୍ତ୍ରୀମଣ୍ଡଳରେ ଶପଥ ନେବା ପାଇଁ ଏବେ ନେତାଙ୍କ ପାଖକୁ ଫୋନ୍ କଲ୍ ଯାଉଛି । ତମାମ୍ ନେତା ଏବେ ଫୋନ୍ କଲକୁ ଅପେକ୍ଷା କରି ବସିଛନ୍ତି । ଅନ୍ୟପଟେ କିଛି ନେତାଙ୍କ ପାଖକୁ ଫୋନ୍ କଲ୍ ଆସିସାରିଛି । ଓଡିଶାର ଦୁଇ ନେତା ଜୁଏଲ୍ ଓରାମ୍ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଫୋନ୍ କଲ୍ ଆସିଥିବା ସୂଚନା ମିଳିଛି ।