କନକ ବ୍ୟୁରୋ: ଆକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଜନ୍ମଦିନ ତଥା ଗାନ୍ଧୀ ଜୟନ୍ତୀ ଭାବେ ବେଶ୍ ଜଣାଶୁଣା । ହେଲେ ଏହି ଦିନ ଦେଶର ଆଉଜଣେ ବରପୁତ୍ର ଜନ୍ମଗ୍ରହଣ କରିଥିଲେ, ଯାହାଙ୍କ କିର୍ତ୍ତୀ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ବିଦିତ । ସେ ହେଉଛନ୍ତି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ।

Advertisment

ନିଜର ଅତି ସରଳ ଜୀବନଯାପନ ଓ ଉଚ୍ଚ ବିଚାର ପାଇଁ ତାଙ୍କ ପାଖରେ ସମସ୍ତେ ନତମସ୍ତକ ହେଉଥିଲେ । ଆଜି ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କର କେତୋଟି ବିଚାରଧାରା ଉପରେ ଯାହା ଆପଣଙ୍କ ଜୀବନ ଧାରା ବଦଳାଇଦେବାକୁ ଯଥେଷ୍ଟ ହେବ ।

ପ୍ରଧାନମନ୍ତ୍ରୀ କ୍ଷମତାରେ ଥିବାବେଳେ କେବଳ ଭାରତର ନୁହେଁ ବରଂ ପୁରା ବିଶ୍ୱରେ ଶାନ୍ତି, ବିକାଶ ଓ କଲ୍ୟାଣ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ।

ଲାଲ ବାହାଦୁର ଶାସ୍ତ୍ରୀ ସବୁବେଳେ କହୁଥିଲେ ଯେ, କୌଣସି ସରକାରଙ୍କ ପ୍ରଥମ କାମ ହେଉଛି ଦେଶର ନାଗରିକଙ୍କୁ ସବୁବେଳେ ଏକତ୍ର କରି ରଖିବା , କାରଣ ନାଗରିକଙ୍କ ଏକତ୍ୱରେ ହିଁ ଦେଶର ସୁରକ୍ଷା ଓ ପ୍ରଗତି ସମ୍ଭବ ବୋଲି ସେ ସବୁବେଳେ କହୁଥିଲେ ।

ଦେଶ ଓ ବିଦେଶରେ ସମ୍ମାନ ପାଇବାକୁ ହେଲେ ନିଜକୁ ଆନ୍ତରିକ ଭାବେ ମଜବୁତ ହେବାକୁ ପଡିବ । ଏହାସହ ଦେଶରୁ ଦାରିଦ୍ର୍ୟ ଓ ବେରୋଜଗାରୀକୁ ହଟାଇବାକୁ ପଡିବ ।

କୌଣସି ଦୁଇଟି ଦେଶର ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ଓ ସମସ୍ୟା ଏକାପରି । ଭାରତର ହୁଅନ୍ତୁ ବା ପାକିସ୍ତାନର ନାଗରିକ ସମସ୍ତଙ୍କୁ କଳିଝଗଡା, ଗୋଳା ବାରୁଦ ନୁହେଁ ବରଂ ରୁଟି, କପଡା ଓ ବାସ ଘରଟିଏ ଆବଶ୍ୟକତା ରହିଛି ଯାହାକୁ ସେହି ଦେଶର ସରକାର ପୂରଣ କରିବା ନିହାତି ଜରୁରୀ ।

ଆମେ ଯୁଦ୍ଧରେ ଯେତିକି ପରାକ୍ରମର ସହ ଲଢେଇ କରୁ, ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ସେହିପରି ସାହାସ ଓ ଧୈର୍ଯ୍ୟର ସହ ଲଢିବାକୁ ପଡିବ ବୋଲି କହୁଥିଲେ ଲାଲବାହାଦୁର ଶାସ୍ତ୍ରୀ ।
କୌଣସି ଦେଶର ପ୍ରକୃତ ଗଣତନ୍ତ୍ର କେବେବି ଅସତ୍ୟ ଓ ହିଂସା ଦ୍ୱାରା ହାସଲ କରାଯାଇପାରିବ ନାହିଁ ।

ଦେଶର ଆଉ ଏକ ବଡ ସମସ୍ୟା ହେଉଛି ଭ୍ରଷ୍ଟାଚାର । ଏହାକୁ ଧରିବା ଭାରି କଷ୍ଟକର । ହେଲେ ଏହାକୁ ମୂଳୋତ୍ପାଟନ କରିବାକୁ ହେଲେ ଦୃଢ ସଙ୍କଳ୍ପ ଓ ଏକନିଷ୍ଠ କର୍ତ୍ତବ୍ୟ କରିବା ଦରକାର ବୋଲି ଲାଲ ବାହାଦୁର ଶାସ୍ତ୍ରୀ କହୁଥିଲେ ।

ଯଦି ତାଙ୍କର ଜୀବନୀ ଅନୁଧ୍ୟାନ କରରାଯାଏ ତେବେ ଏଭଳି ଜଣେ ବ୍ୟକ୍ତି ତଥା ରାଜନେତା ବିରଳ ନିଶ୍ଚୟ । ନିଜର ଅତିବ ସରଳ ଜୀବନ ସହ ତାଙ୍କର ଏକନିଷ୍ଠ କର୍ତ୍ତବ୍ୟ ତାଙ୍କୁ ସାରା ବିଶ୍ୱରେ ପ୍ରତିଷ୍ଠିତ କରିଥିଲା । ହେଲେ ଏହି ମହାପୁରୁଷଙ୍କ ପରଲୋକ ଆଜି ବି ଏକ ରହସ୍ୟ ହୋଇ ରହିଯାଇଛି ।