ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଦେବାଳିଆ ହେବା ପରେ ଆଶଙ୍କାରେ ଗ୍ରାହକ । ରିଜର୍ଭ ବ୍ୟାଙ୍କର ୩୦ ଦିନିଆ ମୋରାଟୋରିୟମ ଘୋଷଣା, ମାସକ ଭିତରେ ମାତ୍ର ୨୫ ହଜାର ଟଙ୍କା ନଗଦ ଉଠାଇ ପାରିବେ ଜମାକାରୀ

137

କନକ ବ୍ୟୁରୋ : ଯଦି ଆପଣଙ୍କ ବ୍ୟାଙ୍କ ଦେବାଳିଆ ହୋଇଯାଇଛି ବୋଲି ଖବର ଆସେ ଏବଂ ଆପଣ ଏକ ମାସ ଭିତରେ ମୋଟ ୨୫ ହଜାର ଟଙ୍କା ଉଠାଇ ପାରିବେ ବୋଲି କଟକଣା କରାଯାଏ, ତେବେ ଆପଣଙ୍କ ସବୁ ପ୍ଲାନିଂ ଗଡ଼ବଡ଼ ହୋଇଯିବ । ଏଭଳି ସ୍ଥିତି ଉପୁଜିଛି ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଦେବାଳିଆ ଉପୁଜିବା ପରେ ।

ୟେସ୍ ବ୍ୟାଙ୍କ ପରେ ଦ୍ୱିତୀୟ ଘରୋଇ ବ୍ୟାଙ୍କ ଭାବେ ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଦେବାଳିଆ ସ୍ଥିତି ଉପୁଜିଥିବାରୁ ଜମାକାରୀ ଓ ଗ୍ରାହକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ନଭେମ୍ବର ୧୭ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ୩୦ ଦିନିଆ ମୋରାଟୋରିୟମ ଘୋଷଣା ଏବଂ ଏହି ଅବଧି ଭିତରେ ପ୍ରତି ଜମାକାରୀଙ୍କୁ ମାତ୍ର ୨୫ ହଜାର ଟଙ୍କା ଉଠାଣ ପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି, ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଆର୍ଥିକ ଦେବାଳିଆ ସ୍ଥିତିକୁ ସୁଧାରିବା ପାଇଁ ଅଂଟା ଭିଡିଛି ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ ପରିଚାଳନାକୁ ହାତକୁ ନେବା ସହ ପ୍ରଶାସକ ଭାବେ କାନାରା ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଟି. ଏନ୍. ମନୋହରନ୍ଙ୍କୁ ନିଯୁକ୍ତି ଦିଆଯାଇଛି । ଆଶ୍ୱାସନାର ବିଷୟ ହେଉଛି, ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ସଂପତି ରହିଛି ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କ ନିଯୁକ୍ତ ପ୍ରଶାସକ । ଏପଟେ ଡିବିଏସ ବ୍ୟାଙ୍କ ସହ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରୁଛି ରିଜର୍ଭ ବ୍ୟାଙ୍କ ।

୧୯୨୬ ମସିହାରେ ଚେନ୍ନାଇରେ ଏହି ବ୍ୟାଙ୍କକୁ ଭିଏସଏନ୍ ରାମାଲିଙ୍ଗା ଚେତିଆର୍ଙ୍କ ନେତୃତ୍ୱରେ ପ୍ରତିଷ୍ଠା କରିଥିଲେ କିଛି ଉଦ୍ୟୋଗୀ । ଯେତେବେଳେ ବଡ଼ ଋଣ ଉପରେ ଲକ୍ଷ୍ମୀବିଳାସ ବ୍ୟାଙ୍କ ଫୋକସ କଲା, ସେତେବେଳେ ସ୍ଥିତି ଜଟିଳ ହେବାରେ ଲାଗିଲା । ବଡ଼ ଋଣ ଦେଲା, ହେଲେ ଠିକ ସମୟରେ ପରିଶୋଧ ନହେବାରୁ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଥିଲା ।