କନକ ବ୍ୟୁରୋ : ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଆଜିଠୁ ନୂଆ ଏସି ସେଡରେ ଶ୍ରୀମନ୍ଦିରକୁ ଯାଉଛନ୍ତି । ୧୨ମିଟର ଚଉଡା ଓ ୮୪ ମିଟର ଲମ୍ବ ବିଶିଷ୍ଟ ଏସି ସେଡରେ ରହିଛି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୧୦ଟି ଧାଡି ରହିଛି । ବସିବା ପାଇଁ ବେଞ୍ଚର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏସି ସେଡ୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛପଟେ ଭକ୍ତଙ୍କ ପାଇଁ ଜର୍ମାନୀ ହ୍ୟାଙ୍ଗର ବ୍ୟବସ୍ଥା ହୋଇଛି । ଏହା ସହ ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପାନ, ଗୁଟଖା ଖାଇଥିଲେ ମନ୍ଦିର ଯାଇପାରବେନି ଶ୍ରଦ୍ଧାଳୁ ।