ଲୋକାରଣ୍ୟ ପାଲଟିଲା ଶ୍ରୀକ୍ଷେତ୍ର: ଭକ୍ତଙ୍କ ଜୟ ଜଗନ୍ନାଥ…ଡାକରେ ଉଠୁଛି ପଡୁଛି ବଡଦାଣ୍ଡ

କିଏ ଦୁଇ ହାତ ଉଠାଇ ବ୍ରହ୍ମାଣ୍ଡକର୍ତ୍ତାଙ୍କ ଆଗରେ ନିଜକୁ ସମର୍ପି ଦେଉଥିଲା ତ ଆଉ କାହାର ଆଖିରୁ ଝରିଆସୁଥିଲା ଲୁହ

174

କନକ ବ୍ୟୁରୋ: ଲୋକାରଣ୍ୟ ପାଲଟିଲା ଶ୍ରୀକ୍ଷେତ୍ର । ଯେଉଁଠି ଦେଖିବ ଖାଲି ଲୋକ ହିଁ ଲୋକ । ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ପାଖରୁ ଟିକିଏ ମନୋଭରି ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ସଂଖ୍ୟକ ଶ୍ରଦ୍ଧାଳୁ । ଆଉ ଜଗତର ନାଥ ଜଗନ୍ନାଥ ମଧ୍ୟ ନିଜ ଭକ୍ତଙ୍କ ମେଳକୁ ଆସିବା ପାଇଁ ବ୍ୟାକୁଳ ହୋଇପଡିଛନ୍ତି । ବରଷକେ ଥରେ ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଏବଂ ଭଉଣୀକୁ ସାଥିରେ ଘେନି କେବଳ ଭକ୍ତଙ୍କ ପାଇଁ ବଡ ଦେଉଳର ରତ୍ନବେଦୀଙ୍କୁ ମୁରୁଛି ଦେଇ ଧାଇଁ ଆସିଛନ୍ତି ବଡଦାଣ୍ଡକୁ ।

 

ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। କିଏ ଦୁଇ ହାତ ଉଠାଇ ବ୍ରହ୍ମାଣ୍ଡକର୍ତାଙ୍କ ଆଗରେ ନିଜକୁ ସମର୍ପି ଦେଉଥିଲା ତ ଆଉ କାହାର ଆଖିରୁ ଝରିଆସୁଥିଲା ଲୁହ । ନୃତ୍ୟ, ଗୀତ ଓ ବିଭିନ୍ନ ବେଶରେ ମହାପ୍ରଭୁଙ୍କୁ ରଥ ଉପରକୁ ନିମନ୍ତ୍ରଣ କରିଥିଲେ ଶ୍ରଦ୍ଧାଳୁ । ବଡଦାଣ୍ଡରେ ଏକ ହୋଇଯାଇଥିଲେ ଭକ୍ତ ଓ ଭଗବାନ ।

ଶରଧାବାଲିରେ ମହାବାହୁଙ୍କ ଆଗରେ ହାତ ଯୋଡି କୃପା ଭିକ୍ଷା କରୁଥିଲେ ଭକ୍ତ । ବ୍ରହ୍ମାଣ୍ଡକର୍ତାଙ୍କ ଦର୍ଶନ ପାଇଁ ଆତୁର ହୋଇଉଠିଥିଲା ନୟନ । ଆଖିରୁ ଝରିଯାଉଥିଲା ଲୁହ । ନଜର, ଲାଖିଯାଇଥିଲା ନନ୍ଦିଘୋଷ ଉପରେ । ଚାତକ ପରି ଚାହିଁ ରହିଥିଲା, କେତେବେଳେ ରଥ ଉପରେ ବିରାଜିବେ କାଳିଆ ସାଆନ୍ତ ।

 

ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା । ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ମହାପ୍ରଭୁଙ୍କ ପାଇଁ ନିଜକୁ ସମର୍ପି ଦେଇଛି ଭକ୍ତ । କିଏ କୃଷ୍ଣ ବେଶ ନେଇଛି ତ ଆଉ କିଏ ମହାବୀର ହନୁମାନ । ରଥ ଆଗରେ ନୃତ୍ୟ କରି ଗୀତ ଗାଇ କରିଛନ୍ତି ଆରାଧନା । ପାଗ ମେଘୁଆ ଥିଲା । ବର୍ଷା ନଥିଲା । ଶ୍ରୀକ୍ଷେତ୍ରକୁ ଛୁଟିଆସିଥିଲେ ଲକ୍ଷ ଲକ୍ଷ ଭକ୍ତ । ହାତ ଉଠାଇ ଜୟ ଜଗନ୍ନାଥ ଡାକରେ ପୁରି ଉଠୁଥିଲା ବଡଦାଣ୍ଡ ।