ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣା । କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କଲା କ୍ରାଇମବ୍ରାଞ୍ଚ

302

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ । ଶନିବାର ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ଜେରା ସମୟରେ ସଠିକ୍ ଜବାବ୍ ନମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଛି, ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଲଖୀମପୁର ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ଆଜି ସକାଳ ୧୧ଟାରେ ପଚରାଉଚୁରା ପାଇଁ କ୍ରାଇମବ୍ରାଞ୍ଚ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ଧାର୍ଯ୍ୟ ସମୟ ଆଗରୁ ଆସି ଆଶିଷ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହୋଇଥିଲେ । ଏହାପରେ ତାଙ୍କୁ ଲଗାତାର ଜେରା କରାଯାଇଥିଲା ଏବଂ ଶେଷରେ ଏବେ ତାଙ୍କୁ ଗିରଫ କରାଯାଇଛି ।

ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶେଷରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ଆଶିଷ ମିଶ୍ରା । ଘଟଣାର ୬ ଦିନ ପରେ ସେ ପହଞ୍ଚିଥିଲେ କ୍ରାଇମ୍ବ୍ରାଞ୍ଚ ଅଫିସ୍ । ଦିନ ୧୧ଟା ସୁଦ୍ଧା କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିବାକୁ ତାଙ୍କୁ ସମନ କରାଯାଇଥିଲା । ତେବେ ଡେଡଲାଇନ୍ର ୨୨ ମିନିଟ୍ ପୂର୍ବରୁ ହାଜର ହୋଇଥିଲେ ଲଖୀମପୁର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର । ଏହାପରେ କ୍ରାଇମବ୍ରାଞ୍ଚ ଅଫିସରେ ମନ୍ତ୍ରୀଙ୍କ ପୁଅକୁ ଆରମ୍ଭ ହୋଇଥିଲା ପଚରାଉଚରା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ସଦସ୍ୟ କରିଥିଲେ ମାରାଥନ ଜେରା । ଅକ୍ଟୋବର ୩ ତାରିଖ ଅର୍ଥାତ୍ ଘଟଣା ଦିନ ୨ଟା ୩୬ରୁ ୩ଟା ୩୦ ମଧ୍ୟରେ ସେ କେଉଁଠି ଥିଲେ ବୋଲି ପ୍ରଶ୍ନ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ଦେଇନଥିବା କୁହାଯାଇଛି।