ଲକ୍ଷ୍ମୀପୁର ହିଂସା ଘଟଣାରେ ଘେରିଲେ ବିରୋଧୀ । ଶରଦ ପାୱାର କହିଲେ, ୟୁପିରେ ଏବେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଭଳି ସ୍ଥିତି ।

126

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଘଟଣାରେ ଏବେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟଏ ଗାଡି ଜାଣିଶୁଣି ପ୍ରଦର୍ଶନ କରୁଥିବା କୃଷକ ଉପରେ ମାଡି ଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶରେ ରାଜନୀତି ତେଜୁଥିବାବେଳେ ବିରୋଧୀ ଦଳମାନେ ଏହାକୁ ‘ଜାଲିୱାନାବାଗ ହତ୍ୟାକାଣ୍ଡ’ ସହିତ ତୁଳନା କରିଛନ୍ତି । ଖାଲି ସେତିକି ନୁହେଁ, ବିଜେପିର ସହଯୋଗୀ ଜେଡିୟୁ ଦଳର ନେତା ମଧ୍ୟ ଏହାକୁ ନେଇ ସରକାରକୁ ଘେରିଛନ୍ତି ।

ଏନସିପି ନେତା ଶରଦ ପାୱାର କହିଚନ୍ତି, ଜାଲିୱାନାବାଗରେ ଯେଉଁଭଳି ସ୍ଥିତି ଥିଲା, ଏବେ ୟୁପିରେ ସେହିଭଳି ସ୍ଥିତି ଅଛି । କୃଷକମାନେ ଏହାକୁ କଦାପି ଭୁଲିବେ ନାହିଁ । କେନ୍ଦ୍ର ସରକାରଙ୍କୁ ନିଶ୍ଚିତ ଏହାର ସାମ୍ନା କରିବାକୁ ପଡିବ । କୃଷକଙ୍କ ଏହି ହତ୍ୟା ପାଇଁ ୟୁପି ସରକାର ଓ କେନ୍ଦ୍ର ସରକାର ଦାୟୀ ବୋଲି ଶରଦ କହିଛନ୍ତି । ତେବେ ଏହି ଘଟଣାର ଯାଞ୍ଚ ସୁପ୍ରିମକୋର୍ଟର ସିଟିଙ୍ଗ୍ ଜଜଙ୍କ ଏକ କମିଟି ଦ୍ୱାରା କରାଇବାକୁ ସେ ଦାବି କରିଛନ୍ତି ।

ଅନ୍ୟପଟେ ବିଜେପିର ସହଯୋଗୀ ଦଳ ଜେଡିୟୁର ନେତା କେସି ତ୍ୟାଗୀ ମଧ୍ୟ ଏହି ଘଟଣାରେ ସରକାରକୁ ଘେରିଛନ୍ତି । ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ବ୍ରିଟିଶକାଳକୁ ମନେ ପକାଇ ଦେଉଛି । ଯେତେବେଳେ ଆଇନ୍ କାନୁନ ବ୍ୟବସ୍ଥା ନାମକୁ ମାତ୍ର ରହିଥିଲା । ତେବେ ଏହି ଘଟଣାର ଯାଞ୍ଚ ଠିକ୍ ଭାବେ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।

ସେହିପରି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଏହି ଘଟଣା ବେଶ ଦୁଃଖଦ । ପ୍ରଧାନମନ୍ତ୍ରୀ ମୋଦୀ ବହୁ ଘଟଣାରେ ଭାବୁକ ହେବା ଦେଖିବାକୁ ମିଳୁଛି । ହେଲେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ମୁହଁ ଖୋଲି ନାହାଁନ୍ତି । ତା ସହିତ ପ୍ରିୟଙ୍କା ଗାନ୍ଧୀଙ୍କୁ ରୋକି ସରକାର ଭୁଲ କରିଛନ୍ତି । ଯଦି ଏହି ଘଟଣା କେଉଁ ଅନ୍ୟ ରାଜ୍ୟରେ ହୋଇଥାନ୍ତା, ତେବେ ବିଜେପି ନେତାମାନେ ଶାନ୍ତ ହୋଇ ବସିନଥାନ୍ତେ ବୋଲି ସେ କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେବାଲା ମୋଦୀଙ୍କୁ କଟାକ୍ଷ କରିଛନ୍ତି । ଯଦି ସାହାସ ଅଛି, ତେବେ ପ୍ରଧାନମନ୍ତ୍ରୀ ଲକ୍ଷ୍ମୀପୁର ଯାଆନ୍ତୁ ଓ ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ ବୋଲି ସେ କହିଛନ୍ତି ।