ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କଲା ୟୁପି ପୋଲିସ । ପିଏସି ଗେଷ୍ଟ ହାଉସରେ ପ୍ରିୟଙ୍କା ପାଇଁ ହେଲା ଅସ୍ଥାୟୀ ଜେଲ ।

355

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଘଟଣାରେ ଗିରଫ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତାଙ୍କ ବିରୋଧରେ କେସ ଦାୟର କରାଯାଇଛି । ତେବେ ତାଙ୍କୁ ଗିରଫ କରି ସୀତାପୁରସ୍ଥିତ ପିଏସି ଗେଷ୍ଟ ହାଉସରେ ଅସ୍ଥାୟୀ ଜେଲ କରି ରଖାଯାଇଛି । ସୋମବାର ଲକ୍ଷ୍ମୀପୁର ଯିବା ବାଟରେ ପ୍ରିୟଙ୍କାଙ୍କୁ ୟୁପି ପୋଲିସ ନିଜ ହେପାଜତକୁ ନେଇଥିଲା । ଏହାପରେ ତାଙ୍କୁ ଏକ ଗେଷ୍ଟ ହାଉସରେ ରଖାଯାଇଥିଲା । ହେଲେ ଏବେ ତାଙ୍କୁ ଗିରଫ କରାଯାଇଥିବା ନେଇ ଖବର ମିଳିଛି ।

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ପରେ ଏବେ ସେଠାରେ ରାଜନୀତି ଜୋର ଧରିଛି । ତେବେ ପୀଡିତ ପରିବାରଙ୍କୁ ଭେଟିବା ପାଇଁ ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ହିଂସାକାଣ୍ଡ ଘଟିବା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବତ ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ । ଏହାର କିଛି ସମୟ ପରେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଖେରୀ ଯିବାକୁ ଉଦ୍ୟମ କରିଥିଲେ କିନ୍ତୁ ଭୋର ପ୍ରାୟ ସାଢେ ୫ଟାରେ ସୀତାପୁରର ହରଗାଁଓରେ ପ୍ରିୟଙ୍କାଙ୍କୁ ଅଟକାଇଥିଲା ୟୁପି ପୋଲିସ । ପ୍ରିୟଙ୍କା ଗାଡିରୁ ଓହ୍ଲାଇ କିଛି ଚାଲି ଚାଲି ଯାଇଥିଲେ । ଏହି ସମୟରେ ଅଟକାଇବାରୁ ପୋଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ପ୍ରିୟଙ୍କାଙ୍କୁ ପୋଲିସ ସୀତାପୁର ଗେଷ୍ଟ ହାଉସରେ ଅଟକ ରଖିବା ପରେ ପ୍ରିୟଙ୍କା ନିଆରା ଢ଼ଙ୍ଗରେ ପ୍ରତିବାଦ କରିଥିଲେ । ଗେଷ୍ଟ ହାଉସରେ ଝାଡୁ ମାରିଥିଲେ ପ୍ରିୟଙ୍କା । ବିରୋଧୀଙ୍କ ସ୍ୱରକୁ ଚାପିବାକୁ ୟୁପି ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ପ୍ରିୟଙ୍କା । ଆଉ ଏବେ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ଗିରଫ କରିଥିବା ନେଇ ଖବର ମିଳିଛି ।