କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ବି ଫେରାର : ସମନ ପରେ ବି ହୋଇ ନାହାନ୍ତି ହାଜର

ସେପଟେ ଆଜି ଲଖିମୀପୁର ମାମଲାରେ ସୁପ୍ରିମକୋର୍ଟ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ ୟୁପି ସରକାର; କିଛି ସମୟ ପରେ ହେବ ଶୁଣାଣି

188

କନକ ବ୍ୟୁରୋ : କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଫେରାର । ସମନ ପରେ ବି ହଜାର ହୋଇନାହାନ୍ତି ଆଶିଷ । ଦିନ ୧୦ଟା ସୁଦ୍ଧା ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା । ତାଙ୍କ ଘରେ ନୋଟିସ୍ ଲଗାଯାଇଥିଲା । ପ୍ରମାଣ ସହିତ ଆସିବା ପାଇଁ ଆଶିଷ ମିଶ୍ରାଙ୍କୁ କୁହାଯାଇଥିଲା । ହେଲେ ସେ ହାଜର ହୋଇନାହାନ୍ତି । ଲଖୀମପୁରରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରଠୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରା ଫେରାର ଅଛନ୍ତି । ସେ ନେପାଳ ପଳାଇ ଯାଇଥିବା କୁହାଯାଉଛି । ତାଙ୍କ ଲୋକେସନ୍ ନେପାଳ କାଠମାଣ୍ଡୁରେ ମିଳିଥିବା ଜଣାପଡ଼ିଛି ।

ସେପଟେ ଲଖୀମପୁର ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ହେବ ଶୁଣାଣି । ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ସୁର୍ଯ୍ୟକାନ୍ତ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜି ଯୋଗୀ ସରକାର ଲଖିମପୁର ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟାଟସ ରିପୋର୍ଟରେ ମୃତକଙ୍କ ସଂପର୍କରେ ତଥ୍ୟ, ଏତଲା ସଂପର୍କରେ ସୂଚନା ଓ ମାମଲାରେ କାହାକୁ ଗିରଫ କରାଗଲାଣି, ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ନା ନାହିଁ । ଯଦି ତଦନ୍ତ ପାଇଁ କମିଟି ଗଠନ କରାଯାଇଛି, ତେବେ ସେ ସଂପର୍କରେ ଷ୍ଟାଟସ ରିପୋର୍ଟ ବିସ୍ତୃତ ରିପୋର୍ଟ ଦିନକ ଭିତରେ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ଗତକାଲି ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଦୁଇ ଅଭିଯୁକ୍ତଙ୍କୁ ୟୁପି ପୁଲିସ ଗିରଫ କରିଛି ।