ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ : ଲଖିପୁର ହିଂସା ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରେଳରୋକ

 ସମର୍ଥନ କରିବେ କଂଗ୍ରେସ ସମେତ ବାମଦଳ

72

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲଖୀମପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇ ହତ୍ୟା, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ କୃଷକ ବିରୋଧୀ ୩ କଳା ଆଇନକୁ ପ୍ରତ୍ୟାହାର ଦାବି । ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୬ ଘଂଟିଆ ରେଳରୋକ ଡାକରା ଦିଆଯାଇଛି । ୧୦ଟାରୁ ୪ ପର୍ଯ୍ୟନ୍ତ ରେଳରୋକ କରାଯିବ ।

ରବିବାର ଦିନ ଏ ସଂକ୍ରାନ୍ତରେ ବିବୃତି ଜାରି କରି ‘ସଂଯୁକ୍ତ କିଷାନ୍‌ ମୋର୍ଚା’ କହିଛି, ଲଖିମ୍‌ପୁର ଖେରି ହିଂସାକାଣ୍ଡର ନ୍ୟାୟ ବିଚାର ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଓ ଗିରଫ ଦାବି କରି ଅକ୍ଟୋବର ୧୮ ତାରିଖ ଦିନ ‘ଏସ୍‌କେଏମ୍‌’ ଦେଶବ୍ୟାପୀ ରେଳରୋକ କରିବ । ରେଳବାଇ ସମ୍ପଦର କୌଣସି ପ୍ରକାର କ୍ଷତି ବା ନଷ୍ଟ ନ କରି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ଘଣ୍ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ‘ଏସ୍‌କେଏମ୍‌’ ଉକ୍ତ ବିବୃତିରେ ଉଲ୍ଲେଖ କରିଛି ।

କେନ୍ଦ୍ର ମନ୍ତ୍ରୀ ପରିଷଦ୍‌ରୁ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର କରାଯିବାର କାରଣ ଦର୍ଶାଇ ‘ଏସ୍‌କେଏମ୍‌’ କହିଛି ଯେ, କେନ୍ଦ୍ର ସରକାରରେ ଅଜୟ ମିଶ୍ରା ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିବାରୁ ଏହି ମାମଲାର ନ୍ୟାୟ ବିଚାର ହୋଇପାରିବ ନାହିଁ । ତାଙ୍କ ଭାଷଣରେ ସେ ହିନ୍ଦୁ ଓ ଶିଖ୍‌ମନାଙ୍କ ମଧ୍ୟରେ ଘୃଣା, ଶତ୍ରୁତା ଏବଂ ସାମ୍ପ୍ରଦାୟିକ ଅସହବସ୍ଥାନ ଭଳି କଥାକୁ ଉତ୍ସାହ ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀମାନଙ୍କ ଉପରେ ତାଙ୍କ ଗାଡ଼ି ଚଢ଼ାଯାଇଛି । ସେ ତାଙ୍କ ପୁଅକୁ ଲୁଚାଇ ରଖିଥିଲେ ଏବଂ ପୁଲିସ ଆଶିଷ ମିଶ୍ରଙ୍କୁ ସମନ ଦେବାବେଳେ ସେ ଚକ୍ରାନ୍ତ କରୁଥିଲେ । ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ହିଂସାକାଣ୍ଡରେ ୪ଜଣ କୃଷକଙ୍କ ସମେତ ପ୍ରାୟ ୮ଜଣ ଲୋକ ପ୍ରାଣ ହରାଇଥିଲେ ।

ଏହି ରେଳରୋକକୁ ଜାତୀୟ କଂଗ୍ରେସ ସମର୍ଥନ କରିବା ପାଇଁ ନିଷ୍ପତି ନେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦେଶରେ କୃଷକ-ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା ଆଦି ପାଇଁ କେନ୍ଦ୍ରର ମୋଦି ସରକାର ଦାୟୀ । ଏଥିପାଇଁ ଜିଲ୍ଲାସ୍ତରରେ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟବ୍ୟାପୀ ରୋଳରୋକକୁ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲା ସଭାପତିକୁ ପତ୍ର ଲେଖାଯାଇଛି ।