ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ ଗାଡି ମଡାଇ ମାରିଦେବା ଘଟଣା, ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

178

କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି ନଭେମ୍ବର ୨୯ ତାରିଖ ସୁଦ୍ଧା ଅଭିଯୋଗ ସ୍ପଷ୍ଟ କରିବା ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ଜଣାଇବା ପରେ ଡିସେମ୍ବର ୧୨ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ।

ଆଶିଷ ମିଶ୍ରାଙ୍କ ଓକିଲ ଜାମିନ ଆବେଦନରେ କହିଛନ୍ତି କି ଗତ ୧୧ ମାସ ଧରି ଆଶିଷ ମିଶ୍ରା ଜେଲରେ ବନ୍ଦି ହୋଇ ରହିଛନ୍ତି । ଏହାସହ ଘଟଣା ଦିନ କୌଣସି ଗୁଳି ଚଳାଯାଇଥିବା କଥାର ପ୍ରମାଣ ନଥିବା କଥା ଆଶିଷଙ୍କ ଓକିଲ କୋର୍ଟରେ ସଫେଇ ଦେଇଛନ୍ତି ।

ସେପଟେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତରଫରୁ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦବେ କହିଛନ୍ତି କି ଏହା ଦୁର୍ଘଟଣା ନୁହେଁ ବରଂ ସୁନିୟୋଜିତ ଘଟଣା । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଡିସେମ୍ବର ୨୬ ତାରିଖରେ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଥିଲେ ।

ସୂଚନା ଥାଉକି, ଏହି ମାମଲାରେ ଆଶିଷ ମିଶ୍ରାଙ୍କୁ ଉତ୍ତର ପ୍ରଦେଶ ହାଇକୋର୍ଟ ପ୍ରଥମେ ଜାମିନ ପ୍ରଦାନ କରିଥିଲେ । ହେଲେ ଏନେଇ ସୁପ୍ରିିମକୋର୍ଟରେ ଆବେଦନ ହେବା ପରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ ।