କନକ ବ୍ୟୁରୋ: କାଲି ଉତ୍ତର ପ୍ରଦେଶରେ ହୋଇଥିବା ହିଂସାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଥିବା ବେଳେ ୩ ଜଣ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ଏକ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଜଣେ ପୁଅ ଆଗରେ ବାପା ଉପରେ କାର ଚଢାଇ ଦିଆଯାଇଛି । ତେବେ ସେଦିନର ଏହି ଲୋମହର୍ଷଣକାରୀ କାହାଣୀକୁ ବର୍ଣ୍ଣନା କରିଛି ପୁଅ ।

Advertisment

ମୃତକ ଚାଷୀ ଜଣକ ହେଉଛନ୍ତି ଦଲଜିତ ସିଂ । ନିଜ ୧୫ ବର୍ଷିୟ ପୁଅ ରାଜଦୀପଙ୍କ ସାମ୍ନାରେ ତାଙ୍କୁ ଗାଡି ଚଢାଇ ଦିଆଯାଇଛି । ଏହି ଘଟଣାକୁ ନେଇ ପୁଅ ରାଜଦୀପ ସିଂ ବଡ ଖୁଲାସା କରିଛନ୍ତି । ଯାହା ସମସ୍ତଙ୍କୁ ଚମକାଇ ଦେଇଛି ।

ପୁଅଙ୍କ କହିବାନୁସାରେ ସେ ବାପାଙ୍କ ସହ କାଲି ତିକୁନିଆରେ ହେଉଥିବା ଆନ୍ଦୋଳନରେ ସାମିଲ ହେବାକୁ ଯାଇଥିଲେ । ସେଠାରେ ୨୦ରୁ ୩୦ ବାଇକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନ ଚାଲିଥିବା ବେଳେ ୩ଟି ଗାଡି ଆସିଥିଲା, ଆଉ ତାଙ୍କ ବାପାଙ୍କ ସମେତ ଅନ୍ୟ ଆନ୍ଦୋଳନାରୀଙ୍କୁ ଧକ୍କା ଦେଇଥିଲା । ସେଠାରେ ଆମ୍ବୁଲାନ୍ସ ନଥିବାରୁ ସେ ବାଇକ ଆଣିବା ପାଇଁ ଯାଇଥିଲେ । ହେଲେ ସେହି ସମୟ ଭିତରେ ଆମ୍ବୁଲାନ୍ସ ଚାଲିଆସିଥିଲା । ହେଲେ ବାଟରେ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଚାଷୀଙ୍କ ପୁଅ ଆହୁରି ମଧ୍ୟ କହିଛନ୍ତି କି, ମନ୍ତ୍ରୀଙ୍କ ପୁଅ ଗାଡି ନେଇ ଆସିଥିଲେ । ଆଉ ତାଙ୍କରି ଗାଡିରେ ହିଁ ଚାଷୀଙ୍କ ମୃତ୍ୟୁ ହୋଇଛି । ନିଜ ବାପାଙ୍କ ମୃତ୍ୟୁ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଉ ଦୋଷୀକୁ ଗିରଫ କରିବା ପାଇଁ ଗୁହାରୀ କରିଛନ୍ତି ।