ଲଖିମପୁର ହିଂସା ନେଇ ୟୁପି ସରକାରଙ୍କ ଉପରେ ବର୍ଷିଲେ ସପ୍ରିମକୋର୍ଟ । କାହିଁକି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ବୋଲି କଲେ ପ୍ରଶ୍ନ

136

କନକ ବ୍ୟୁରୋ : ଲଖିମପୁର ହିଂସାକାଣ୍ଡ ମାମଲାରେ ଉତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ନିଜ ଆଡୁ ଶୁଣାଣି କରୁଥିବା ସର୍ବୋଚ୍ଚ ନ୍ୟାୟାଳୟ ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କହିବା ଅସନ୍ତୋଷ ପ୍ରକାଶ କରିଛନ୍ତି । ୟୁପି ସରକାରଙ୍କ ପକ୍ଷରୁ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଥିଲେ ଯେ ଏହି ମାମଲାରେ ଆଶିଷ ମିଶ୍ରାଙ୍କୁ ସମନ ଜାରି କରାଯାଇଛି ଏବଂ ସେ ଆସନ୍ତାକାଲି କୋର୍ଟରେ ହାଜର ହେବେ ।
ଅଭିଯୁକ୍ତ ଆଶିଷ ମିଶ୍ରାକୁ ସମନ ଜାରି ନେଇ ୟୁପି ସରକାର ଉପରେ ବର୍ଷିଛନ୍ତି । ଅନ୍ୟ ହତ୍ୟା ଅଭିଯୁକ୍ତଙ୍କୁ ଏମିତି ସମନ କରାଯାଏ କି ବୋଲି କ୍ଷୁବ୍ଧ ହୋଇ ପ୍ରଶ୍ନ କରିଛନ୍ତି କୋର୍ଟ । ତେବେ ଏଯାଏଁ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦେବାକୁ କହିଛନ୍ତି । ତେବେ ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବାଯାଏଁ ସାକ୍ଷ୍ୟ ଓ ଘଟଣା ସହ ସମ୍ପୃକ୍ତ ସମସ୍ତ ଦସ୍ତାବିଜକୁ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାକ୍ଷ୍ୟ ପ୍ରମାଣ ଓ ଦସ୍ତାବିଜ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ଦାୟିତ୍ୱ ନେବାଯାଏଁ ପ୍ରମାଣର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଡିଜିପିଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି । ଲଖିମପୁରରେ ଅତି ନୃଶଂସ ଭାବେ ୮ଜଣଙ୍କୁ ହତ୍ୟା କରାଯାଇଥିଲା ତେଣୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କୋର୍ଟ କହିଛନ୍ତି ।