ଲଖିମପୁର ହିଂସା ଘଟଣା: ମନ୍ତ୍ରୀଙ୍କ ପୁଅ ହାତରେ ପଡିଲା ହାତକଡି । ଲାଗିଲା ସଙ୍ଗୀନ ଦଫା…

158

କନକ ବ୍ୟୁରୋ: ଲଖିମପୁର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ୍ ମିଶ୍ର ଗିରଫ । ଦୀର୍ଘ ୧୨ ଘଂଟା ପଚରାଉଚରା ପରେ ଆଶିଷ୍ ମିଶ୍ରଙ୍କୁ ଗିରଫ କରିଛି ୟୁପି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ତାଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅର୍ଥାତ ହତ୍ୟା , ଧାରା ୩୩୮(ଏ) କାହା ଜୀବନ ପ୍ରତି ବିପଦ ସୃଷ୍ଟି କରିବା, ଧାରା ୩୦୪(ଏ) ଅବହେଳାରୁ ମୃତ୍ୟୁ, ଧାରା ୨୭୯ ଅର୍ଥାତ ବେପରୁଆ ଗାଡି ଚଳାଇବା, ଧାରା ୧୪୭ , ୧୪୮, ୧୪୯ ଅର୍ଥାତ ଦଙ୍ଗା ଭିଆଇବା , ୧୨୦ (ବି) ଅର୍ଥାତ ଅପରାଧିକ ଷଡଯନ୍ତ୍ର ଭଳି ସାଂଘାତିକ ଦଫା ଲଗାଯାଇଛି ।

ଆଜି ଆଶିଷଙ୍କୁ କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର ପରେ ଅଧିକ ପଚରାଉଚରା ପାଇଁ ତିନି ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଆଶିଷଙ୍କ ଓକିଲ ଏହାକୁ ବିରୋଧ କରିଥିଲେ । ଆସନ୍ତାକାଲି ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡ଼ିବ । କାଲି ମାମଲାର ଶୁଣାଣି କରାଯିବ । ତଦନ୍ତକାରୀ ଟିମ୍ ପଚାରିଥିବା କେତେକ ପ୍ରଶ୍ନର ଉତ୍ତର ନଦେବାରୁ ଓ ତଦନ୍ତରେ ସହଯୋଗ ନକରିବାରୁ ଆଶିଷଙ୍କୁ ଗିରଫ କରାଯାଇଥିବା ଡିଆଇଜି ସୂଚନା ଦେଇଛନ୍ତି ।

ହିଂସାକାଣ୍ଡର ୬ଦିନ ପରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ଆଶିଷ୍ । ପହଁଚିବା ପରେ ଦିନ ୧୧ଟାରୁ ଆଶିଷଙ୍କୁ ପଚରାଉଚୁରା କରୁଥିଲେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ । ଡିଆଇଜିଙ୍କ ସମେତ ୟୁପି କ୍ରାଇବ୍ରାଞ୍ଚର ବରିଷ୍ଠ ଅଧିକାରୀ ଆଶିଷଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ଘଟଣା ଦିନ କଣ ଘଟିଥିଲା, ସେ କେଉଁଠି ଥିଲେ ଏମିତି ପ୍ରାୟ ୪୦ରୁ ଅଧିକ ପ୍ରଶ୍ନ କରିଥିଲେ । ହେଲେ, ତଦନ୍ତକାରୀ ଅଧିକାରୀଙ୍କୁ ଆଶିଷ୍ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ଗତ ରବିବାର ଦିନ ଉତ୍ତରପ୍ରଦେଶ ଲଖିମପୁରରେ ଘଟିଥିଲା ହିଂସାକାଣ୍ଡ । ଏଥିରେ ୪ ଜଣ ଚାଷୀଙ୍କ ସମେତ ୮ଜଣଙ୍କ ଜୀବନ ଯାଇଥିଲା । ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିବା ସାଂଘାତିକ ଅଭିଯୋଗ ରହିଛି । ଏହି ହିଂସାକାଣ୍ଡ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ସରକାର ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଖଣ୍ଡପୀଠ । ସରକାରଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନୁହଁ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଆଶିଷଙ୍କୁ ସମନ କରିଥିଲା ୟୁପି କ୍ରାଇମବ୍ରାଞ୍ଚ ।