୬ ଦିନ ପରେ ମନ୍ତ୍ରୀଙ୍କ ପୁଅକୁ ମାରାଥନ ଜେରା କଲା କ୍ରାଇମବ୍ରାଞ୍ଚ । ସନ୍ତୋଷଜନକ ଉତ୍ତର ଦେଇପାରିଲେନି ଲଖିମପୁର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ।

139

କନକ ବ୍ୟୁରୋ : ମନ୍ତ୍ରୀଙ୍କ ପୁଅଙ୍କୁ ମାରାଥନ ଜେରା । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଘଟଣାର ୬ ଦିନ ପରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ୟୁପି ଲଖୀମପୁର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର । ଦୀର୍ଘ ୭ ଘଣ୍ଟା ଧରି ବରିଷ୍ଠ ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି । ତଦନ୍ତକାରୀ ଅଧିକାରୀଙ୍କୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା କୁହାଯାଉଛି । ସେପଟେ ଆସନ୍ତା ୧୮ ତାରିଖରେ ରୋଳରୋକ କରିବାକୁ ଘୋଷଣା କରିଛନ୍ତି ଚାଷୀ ସଂଗଠନ ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶେଷରେ କ୍ରାଇମବ୍ରାଞ୍ଚରେ ହାଜର ହେଲେ ଆଶିଷ ମିଶ୍ର । ଘଟଣାର ୬ ଦିନ ପରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଅଫିସ । ଦିନ ୧୧ଟା ସୁଦ୍ଧା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିବାକୁ ଥିଲା ସମନ । ଡେଡଲାଇନର ୨୨ ମିନିଟ୍ ପୂର୍ବରୁ ହାଜର ହୋଇଗଲେ ଲଖୀମପୁର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର । କ୍ରାଇମବ୍ରାଞ୍ଚ ଅଫିସରେ ମନ୍ତ୍ରୀଙ୍କ ପୁଅକୁ ଆରମ୍ଭ ହେଲା ପଚରାଉଚରା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ସଦସ୍ୟ କଲେ ମାରାଥନ ଜେରା ।

ଅକ୍ଟୋବର ୩ ତାରିଖ ଅର୍ଥାତ୍ ଘଟଣା ଦିନ ୨ଟା ୩୬ରୁ ୩ଟା ୩୦ ମଧ୍ୟରେ ସେ କେଉଁଠି ଥିଲେ ବୋଲି ପ୍ରଶ୍ନ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ଦେଇନଥିବା କୁହାଯାଇଛି । ଆଶିଷ ମିଶ୍ର କ୍ରାଇମବ୍ରାଞ୍ଚ ନିକଟରେ ପହଞ୍ଚିବା ପରେ ଅନଶନ ଶେଷ କରିଛନ୍ତି ପଞ୍ଜାବ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁ । ମୃତକଙ୍କ ପରିବାର ଓ ଆହତ ଚାଷୀଙ୍କୁ ଭେଟିବା ପରେ ସିଦ୍ଧୁ ଅନଶନରେ ବସିଥିଲେ ।

ୟୁପି ଲଖୀମପୁର ହିଂସା ପ୍ରତିବାଦରେ ଆସନ୍ତା ୧୮ ତାରିଖରେ ରେଳ ରୋକ କରିବ ଚାଷୀ ସଂଗଠନ । ଅକ୍ଟୋବର ୨୬ ଲକ୍ଷେ୍ନøରେ ହେବ ମହାପଞ୍ଚାୟତ । ଏହା ପୂର୍ବରୁ ୧୨ ତାରିଖରେ କ୍ୟାଣ୍ଡେଲ ରାଲି କରାଯିବ । ଏଥିପାଇଁ ଲଖୀମପୁର ଆସିବାକୁ ଚାଷୀଙ୍କୁ ଆହ୍ୱାନ କରାଯାଇଛି । ଘଟଣାକୁ ନେଇ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଗିରଫ କରିବାକୁ ଦାବି କରିଛି ଚାଷୀ ସଂଗଠନ ।

ଲଖୀମପୁର ହିଂସାକାଣ୍ଡ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଥିବା ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାର ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ସରକାରଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନୁହଁ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଗତ ରବିବାର ଦିନ ଉତ୍ତରପ୍ରଦେଶ ଲଖୀମପୁରରେ ଘଟିଥିଲା ହିଂସାକାଣ୍ଡ । ଏଥିରେ ୪ ଜଣ ଚାଷୀଙ୍କ ସମେତ ୮ଜଣଙ୍କ ଜୀବନ ଯାଇଛି । ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିବା ସାଂଘାତିକ ଅଭିଯୋଗ ହୋଇଛି ।