ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ମାମଲା : ଏସଆଇଟି ଯାଞ୍ଚ ଦାବି କଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଯୋଗେନ୍ଦ୍ର ଯାଦବ

ଗତକାଲି ସମ୍ବାଦ, କନକ ନ୍ୟୁଜ ସ୍ୱର୍ଣ୍ଣକ୍ଷେତ୍ରରେ ଯୋଗଦେଇ ଉଠାଇଲେ ଦାବି

86

କନକ ବ୍ୟୁରୋ : ଉତରପ୍ରଦେଶ ଲକ୍ଷ୍ମୀପୁର କ୍ଷେରୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ସାରା ଦେଶରେ ବିରୋଧ ଚାଲିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନି ଏବଂ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଏଥିସହିତ ଅପରାଧିକ ଷଡଯନ୍ତ୍ର କରିଥିବା ନେଇ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ । ଏପଟେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କୃଷକ ନେତା ସଂଯୁକ୍ତ କିସାନ ମୋର୍ଚ୍ଚାର କୃଷକ ନେତା ଯୋଗେନ୍ଦ୍ର ଯାଦବ ।

ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବା ସହ ଏହି ମାମଲାର ଉଚ୍ଚତମ ନ୍ୟାୟଳୟ ନୀରିକ୍ଷଣରେ ଏସଆଇଟି ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତିି ଯୋଗେନ୍ଦ୍ର । କେବଳ ଚାଷୀଙ୍କୁ ନୁହେଁ, ଗଣତନ୍ତ୍ର ଓ ସମ୍ବିଧାନକୁ ଦଳି ଦିଆଗଲା। ଏଭଳି ବୀଭତ୍ସ ଘଟଣା ପରେ ପଞ୍ଜାବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ବିରୋଧୀ ଦଳ ନେତାଙ୍କ ପ୍ରବେଶ ନେଇ ନିଷେଧାଦେଶ ଲଗାଯାଇଛି । ଉତ୍ତରପ୍ରଦେଶକୁ ଯିବା ପାଇଁ କ’ଣ ଭିସା, ପାସ୍‌ପୋର୍ଟର ଆବଶ୍ୟକ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରକୃତରେ ଲଗାତାର ଚାଷୀ ଆନ୍ଦୋଳନରେ ଶାସକ ବିଜେପି ବିଚଳିତ ହୋଇଯାଇଛି । ରବିବାର ଚାଷୀଙ୍କ ସହ ହୋଇଥିବା ଘଟଣାର କିଛି ସମୟ ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ପ୍ରତିଶୋଧ ନିଅ, ଜେଲ ଯିବାକୁ ଭୟ କର ନାହିଁ ବୋଲି କହିଥିଲେ । ସେହିଭଳି ହିଂସକ କଥା ଆଜୟ ମିଶ୍ର ମଧ୍ୟ କହିଥିଲେ। ଯୋଗେନ୍ଦ୍ର କହିଛନ୍ତି, ହିଂସାର ଉତ୍ତର ହିଂସା ନୁହେଁ, ବରଂ ଶାନ୍ତିରେ ଦିଆଯିବ । କେବଳ ଆଜି ନୁହେଁ, କିଛି ବର୍ଷ ହେଲା ଉତ୍ତରପ୍ରଦେଶରେ ଆଇନ ନୁହେଁ, ବର୍ଦି ପିନ୍ଧିଥିବା ଗୁଣ୍ଡାଙ୍କ ରାଜୁତି ଚାଲୁଛି ବୋଲି ସେ କିହଥିଲେ ।