ମୌଳିକ ସୁବିଧାରୁ ବଂଚିତ ଗଜପତି ଜିଲ୍ଲାର ଲାଇଲାଈ ଗାଁ। ଗଛ ଉପରେ ଚଢି ମୋବାଇଲରେ କଥା ହେଉଛନ୍ତି ଲୋକେ

103

କନକ ବ୍ୟୁରୋ: ମୋବାଇଲରେ କଥା ହେବାକୁ ହେଲେ ଗଛ ଚଢ଼ିବାକୁ ପଡ଼ିବ । ଘରୁ ବାହାରି ଗାଁ ମୁଣ୍ଡ ପାହାଡ଼ ଉପରକୁ ଆସିବାକୁ ପଡି଼ବ । ଗଛରେ ଚଢ଼ି ନେଟୱାର୍କ ଖୋଜିବାକୁ ପଡି଼ବ । ନଚେତ୍ ଗାଁରେ ନେଟୱାର୍କ ଆସିବ ନାହିଁ କି ମୋବାଇଲ ଫୋନରେ କଥା ହୋଇପାରିବେନାହିଁ । ରାଜ୍ୟର ଅନେକ ସ୍ଥାନରେ ଫାଇଭ-ଜି ନେଟୱାର୍କ ମିଳୁଛି, ହେଲେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଈ ଗାଁରେ ଲୋକଙ୍କୁ ମିଳୁନାହିଁ ଟୁ-ଜି ନେଟ୍ୱାର୍କ ସେବା । ଫଳରେ ଆଜି ଏଠି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ।

ସ୍ୱାଧୀନତାର ୭୬ ବର୍ଷ ପରେ ବି ଆଦିବାସୀ ଗାଁରେ ମୌଳିକ ସୁବିଧା ମିଳୁନାହିଁ । ୨ ଶହ ପରିବାର ରହୁଥିବା ଲାଇଲାଈ ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ପାହାଡିଆ ରାସ୍ତା ଦେଇ ଲୋକମାନେ ଯାଆସ କରୁଥିବା ବେଳେ କାହାରି ଦେହ ଖରାପ ହେଲେ କଥା ସରିଲା । ଗାଁରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ରୋଗୀଙ୍କୁ ଭାରାରେ ବୋହିବାକୁ ପଡିଥାଏ । ବର୍ଷ ବର୍ଷ ଧରି ଲୋକମାନେ ସମସ୍ୟା ଭୋଗୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଗାଁକୁ ଭଲ ରାସ୍ତା ନାହିଁ, ଫଳରେ ସ୍କୁଲ ଓ ଅଙ୍ଗନୱାଡିକୁ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି କୁନି କୁନି ପିଲା ।