ଶିକ୍ଷୟିତ୍ରୀଙ୍କ ବଳରେ ବଳିଆନ ସ୍ୱାମୀ । ସ୍କୁଲରେ ପଶି କୁନି କୁନି ଛାତ୍ରଛାତ୍ରୀଙ୍କୁ ମାରିଲେ ମାଡ । ୨ ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଦଣ୍ଡମୁକ୍ତ ଅଂଚଳରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଏ ସାହାସ ଦେଲା କିଏ ?

2,278

କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କ ବଳରେ ବଳିଆନ ସ୍ୱାମୀ । ସ୍କୁଲରେ ପଶି କୁନି କୁନି ଛାତ୍ରଛାତ୍ରୀଙ୍କୁ ମାଡ ମାରିଲେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ପାଟଣାଗଡ ବ୍ଲକ ତମିଆ ପଂଚାୟତ ଜାଲପାଲି ଗାଁରେ ଆସିଛି ଏଭଳି ଅଭିଯୋଗ । ସ୍କୁଲର ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ସ୍ୱାମୀ ସୌଦାଗର ମେହେରଙ୍କ ସ୍କୁଲ ପରିସର ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ମାଡ ମାରିଛନ୍ତି । ମାଡରେ ୨ ଛାତ୍ରଛାତ୍ରୀ ଘସିଏନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ପିଠିରେ ମଧ୍ୟ ଚିହ୍ନପଡିଯାଇଛି । ଏନେଇ ଲରମ୍ବା ଥାନାରେ ମାମଲା ଦାୟର ହୋଇଥିବା ବେଳେ ଦଣ୍ଡମୁକ୍ତ ଅଂଚଳରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଏ ସାହାସ କିଏ ଦେଲା ବୋଲି ପ୍ରଶ୍ନ ଉଠିଛି ।

ଅଭିଯୋଗ ଅନୁଯାୟୀ, ଜାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କୁ ପ୍ରତିଦିନ ତାଙ୍କ ସ୍ୱାମୀ ସୌଦାଗର ମେହେର ସ୍କୁଲକୁ ନେଇଯାଆନ୍ତି ଏବଂ ଛୁଟି ହେଲେ ସାଙ୍ଗରେ ସେଦୁହେଁ ଘରକୁ ଫେରିଥାନ୍ତି। ବେଳେବେଳେ ସୌଦାଗର ମେହେର ସ୍କୁଲରେ ପାଠ ବି ପଢ଼ାନ୍ତି। କିନ୍ତୁ ଗତକାଲି ସୌଦାଗର ଛାତ୍ରଛାତ୍ରୀମାନଙ୍କୁ ବାଡ଼ିରେ ପିଟିଥିଲେ। ପିଲାମାନେ ଘରେ ଆସି ସବୁକଥା ଜଣାଇବାପରେ ଆହତ ଛାତ୍ରଛାତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଏନେଇ ଗ୍ରାମବାସୀ ଓ ଅଭିଭାବକମାନେ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ପାଟଣାଗଡ଼ର କୁକୁରମୁଣ୍ଡାରେ ରହୁଥିବା ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ସ୍ୱାମୀ ସୌଦାଗର ମେହେରଙ୍କୁ ଗିରଫ କରିବାଲାଗି ପୁଲିସ ଯାଇଥିଲେ ବି ଖାଲି ହାତରେ ଫେରିଥିଲେ। ସୌଦାଗର ମେହେର ଫେରାର ହୋଇଯାଇଥିବା ଜଣାଯାଇଛି। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ ।ପରେ ଅବଶ୍ୟ ଏ ବି ଇ ଓ ବିଦ୍ୟାଳୟକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ବିଦ୍ୟାଳୟ ଖୋଲିଥିଲା।