୧୧ଦିନ ଧରି ନିଖୋଜ ପରେ ବି ମିଳୁନି ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପତ୍ତା । ଏପଟେ ଚମ୍ପଟ ମାରିଲେ ନିଖୋଜ ପଛର ଅଭିଯୁକ୍ତ, ଚମ୍ପଟ ପଛରେ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ।

320

କନକ ବ୍ୟୁରୋ : କଳାହାଣ୍ଡିର ଏକ ଘରୋଇ ସ୍କୁଲରେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ମମିତା ମେହେର ନିଖୋଜ ହେବାର ୧୧ଦିନ ବିତିଲାଣି । କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନି । ସେପଟେ ଏହି ଘଟଣାରେ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି ପରିବାର । ତେବେ ବଡ କଥା ହେଉଛି ପୋଲିସ ହେପାଜତରୁ ଗୋବିନ୍ଦ ଚମ୍ପଟ ମାରିବା ପରେ ଆହୁରି ସନ୍ଦେହ ବଢିଛି । ଅପରପକ୍ଷରେ ୮ତାରିଖ ଦିନ ଗୋବିନ୍ଦ ସାହୁ, ମମିତାଙ୍କୁ ସ୍କୁଲକୁ ଡକାଇଥିଲେ । କିନ୍ତୁ ସ୍କୁଲ ଆସିବା ବାଟରେ ନିଖୋଜ ହୋଇଗଲେ ମମିତା ।

ମମିତା ମେହେର । କଳାହାଣ୍ଡିର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ଭାବେ କାମ କରୁଥିବା ଏହି ଯୁବତୀ ହଠାତ୍ ନିଖୋଜ ହୋଇଯାଇଛନ୍ତି । ୧୧ ଦିନ ହେଲାଣି ତାଙ୍କର କୌଣସି ପତା ମିଳୁନାହିଁ । ସ୍କୁଲକୁ ଡକାଇଥିଲେ ମାଲିକ ଗୋବିନ୍ଦ ସାହୁ । କେମିତି ନିଖୋଜ ହୋଇଗଲେ ମମିତା? କଳାହାଣ୍ଡିର କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡକାଇଥିଲେ । କିନ୍ତୁ ସ୍କୁଲ ଆସିବା ବାଟରେ ନିଖୋଜ ହୋଇଗଲେ ।

ଗୋବିନ୍ଦ ସାହୁଙ୍କୁ ଉଠାଇଆଣିଲା ପୁଲିସ । ପୋଲିସ ହେପାଜତରୁ ହୋଇଗଲେ ଫେରାର । ମମିତା ନିଖୋଜ ପଛରେ ଗୋବିନ୍ଦ ସାହୁଙ୍କ ହାତଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । କିନ୍ତୁ ପୁଲିସ ହେପାଜତରୁ ହଠାତ ଗାଏବ ହୋଇଗଲେ ଗୋବିନ୍ଦ । ଏହି ଘଟଣା ପରେ ମମିତା ନିଖୋଜ ପଛରେ ଗୋବିନ୍ଦଙ୍କ ହାତଥିବା ନେଇ ସନ୍ଦେହ ବଢିଯାଇଛି । ତେବେ ଗୋବିନ୍ଦ ସାହୁ ଚମ୍ପଟ ଘଟଣାରେ ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ମମିତାଙ୍କ ବିଷୟରେ କୌଣସି ଖୋଜଖବର ମିଳୁନାହିଁ ।

ସେପଟେ ମମିତା ମେହେର ନିଖୋଜ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାମଲାରେ ମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠିଛି । ରାଜ୍ୟ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚାପ ପକାଇ ଖସାଇଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ପରିବାର ଲୋକେ । ତେବେ ସେଭଳି କୌଣସି ଆଧାର ପ୍ରକାଶ କରିନାହାନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏହି ଭିଡିଓ ଗଣମାଧ୍ୟମକୁ ଦେଇଛନ୍ତି । ଏହି ଭିଡିଓରେ ଗୋବିନ୍ଦ ସାହୁଙ୍କ ଏକ କଲେଜରେ ଭାଷଣ ଦେଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ଏହି ଭିଡିଓ ଗମମାଧ୍ୟମକୁ ଦେଇ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି, ଗୋବିନ୍ଦ, ମନ୍ତ୍ରୀଙ୍କ ପାଖଲୋକ ଥିଲେ ।

ସେପଟେ ବିଜେପି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଛନ୍ତି । ଏବଂ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ଆଇନ ତା ବାଟରେ ଯିବ । ମାମଲାରେ ଯିଏ ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।