କୁଆଡେ ଗଲେ ମମିତା ? ସ୍କୁଲ ଷ୍ଟାଡିୟମ୍ ପରିସରକୁ ସିଲ୍ କଲା ପୁଲିସ; ମାରି ପୋତି ଦିଆଯାଇଥିବା ବଢ଼ୁଛି ସନ୍ଦେହ, ଖୋଳାଯିବ ମାଟି

ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୃତୟନ

265

କନକ ବ୍ୟୁରୋ : କୁଆଡେ ଗଲେ ମହାଲିଙ୍ଗ ସନସାଇନ କଲେଜ ଅଧ୍ୟକ୍ଷା ମମିତା ମେହେର । ଏନେଇ ତଦନ୍ତ ଚାଲିଥିବା ବେଳେ ସ୍କୁଲ ଷ୍ଟାଡିୟମ୍ ପରିସରକୁ ସିଲ୍ କରିଛି ପୁଲିସ । କାରଣ ତାଙ୍କୁ ମାରି ପୋତି ଦିଆଯାଇଥିବା ନେଇ ସନ୍ଦେହ ବଢ଼ୁଛି । ଏଥିପାଇଁ ସ୍କୁଲ ପରିସରରେ ମାଟି ଖୋଳିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ଜେସିବି ମେସିନ୍ ମଧ୍ୟ ଅଣା ଯାଇଥିବା ସୂଚନା ମିଳିଛି । ସ୍କୁଲ ପରିସରରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଅଛନ୍ତି ।

କଳାହାଣ୍ଡି ଘରୋଇ ସ୍କୁଲ ମମିତା ମେହେର ନିଖୋଜ ମାମଲା ଅଧିକ ଅଧିକ ରହସ୍ୟମୟ ହେବାରେ ଲାଗିଛି । ଅନ୍ୟପଟେ ସାମନାକୁ ଅଡିଓ ଟେପ୍ ଆସିବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ମାଲିକାନାରେ ଥିବା କଲେଜ ପ୍ରିନ୍ସପାଲଙ୍କୁ ପଚରାଉଚୁରା କରିଛି ପୋଲିସ । ଅଡିଓରେ କୁହାଯାଉଥିବା ସିକ୍ରେଟ ଚାମ୍ବରର ସତ କ’ଣ ସେ ନେଇ ପଚରାଉଚୁରା କରିଥିବା ସୂଚନା ମିଳିଛି । ମାଲିକ ଗୋବିନ୍ଦ ସାହୁ ଫେରାର ଥିବା ବେଳେ ଛାନଭିନ ଜାରି ରଖିଛନ୍ତି କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ।

ସେପଟେ, ଗୋବିନ୍ଦଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଇପିସି ୩୬୬ ଧାରାରେ ରୁଜୁ ହୋଇଥିଲା ମାମଲା । ଏଥିରେ ୧୦ ବର୍ଷର ଜେଲ ଦଣ୍ଡାଦେଶ ଥିବାରୁ ଥାନାରୁ ନୋଟିସ୍ ଦେଇ ଛାଡିପାରିବ ନାହିଁ ପୁଲିସ । ତେଣୁ କେଉଁ କାରଣରୁ ୧୪ ତାରିଖଠାରୁ ରବିବାର ରାତି ପର୍ଯ୍ୟନ୍ତ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ପୋଲିସ? ତାଙ୍କୁ କାହିଁକି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିନଥିଲା ପୁଲିସ ?

ରାତିରେ ବାରାକ୍ରେ ଏତେ ପୋଲିସ କର୍ମଚାରୀ ଥାଇ କେମିତି ଚକମା ଦେଇ ଫେରାର ମାରିଲା ମୁଖ୍ୟ ଅଭିଯୁକ୍ତ ? ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠତାକୁ ନେଇ ବିରୋଧୀ ନାନା ଅଭିଯୋଗ ଉଠାଉଛନ୍ତି । ତେଣୁ କାହା ଇଶାରାରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିନଥିଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।