କନକ ବ୍ୟୁରୋ : କଳାହାଣ୍ଡି ଘରୋଇ ସ୍କୁଲ ମମିତା ମେହେର ନିଖୋଜ ମାମଲା ଅଧିକ ଅଧିକ ରହସ୍ୟମୟ ହେବାରେ ଲାଗିଛି । ସେ ଏବେ କେଉଁଠି, ଜୀବିତ ନାଁ ମୃତ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଅନ୍ୟପଟେ ସାମନାକୁ ଅଡିଓ ଟେପ୍ ଆସିବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ମାଲିକାନାରେ ଥିବା କଲେଜ ପ୍ରିନ୍ସପାଲଙ୍କୁ ପଚରାଉଚୁରା କରୁଛି ପୋଲିସ । ଅଡିଓରେ କୁହାଯାଉଥିବା ସିକ୍ରେଟ ଚାମ୍ବର ସତ କଣ ସେ ନେଇ ପଚରାଉଚୁରା କରିଥିବା ସୂଚନା ମିଳିଛି । ମାଲିକ ଗୋବିନ୍ଦ ସାହୁ ଫେରାର ଥିବା ବେଳେ ଛାନଭିନ ଜାରି ରଖିଛନ୍ତି କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ।
ସେପଟେ, ନିଖୋଜ ମମିତାଙ୍କ ପରିବାରବର୍ଗ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ଆଗରେ ସେମାନେ କହିଛନ୍ତି ଯେ ସ୍କୁଲରେ ଯୌନ କେଳେଙ୍କାରୀ ଚାଲୁଥିଲା। ଏ ନେଇ ମମିତାଙ୍କ ପାଖରେ କୁଆଡ଼େ ଠୋସ୍ ପ୍ରମାଣ ଲାଗିଥିଲା। ସ୍କୁଲ ମାଲିକଙ୍କ ସହ କିଛିଦିନ ତଳେ ଏହାକୁ ନେଇ ମମିତାଙ୍କ ଉଚ୍ଚବାଚ ବି ହୋଇଥିଲା। ସ୍କୁଲ ମାଲିକଙ୍କ ସବୁ କାରନାମା ପର୍ଦ୍ଦାଫାସ କରିବାର ଧମକ ଦେଇଥିଲେ ମମିତା। ଏଣୁ ସ୍କୁଲ ମାଲିକ ତାଙ୍କୁ ମିଟିଂ ବାହାନାରେ ଡାକି ଅପହରଣ କରିଥିବା ପରିବାରବର୍ଗ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ଏପରିକି ସ୍କୁଲ ମାଲିକଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅନ୍ୟ ବଡ଼ବଡ଼ିଆ ନେତାଙ୍କ ବେଶ୍ ଘନିଷ୍ଠତା ଥିଲା । ଏଣୁ ଯୋଜନାବଦ୍ଧ ଭାବରେ ସ୍କୁଲ ମାଲିକଙ୍କୁ ଥାନାରୁ ଫେରାର କରାଇ ଦିଆଯାଇଛି ବୋଲି ପରିବାରବର୍ଗ ଆଜି ଅଭିଯୋଗ କରିଛନ୍ତି। ମମିତା ନିଖୋଜ ପଛରେ ଗୋବିନ୍ଦଙ୍କ ସମେତ ବଡ଼ବଡ଼ିଆଙ୍କ ଲିଙ୍କ୍ ରହିଛି । ଗୃହ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଚାପରେ ପୁଲିସ ଗୋବିନ୍ଦଙ୍କୁ ଫେରାର କରାଇଥିବା ପରି ସଙ୍ଗୀନ ଅଭିଯୋଗ ବି ପରିବାର ସଦସ୍ୟ ଆଣିଛନ୍ତି ।
ମମିତାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ବିବାଦରେ ଛନ୍ଦି ହୋଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଭୁବନେଶ୍ବରରେ ବିଜେପି ଓ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଇଛି। ମନ୍ତ୍ରୀଙ୍କ ସହିତ ସଂପୃକ୍ତ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଘନିଷ୍ଠ ସମ୍ପର୍କକୁ ନେଇ କଳାହାଣ୍ଡିରୁ ଭୁବନେଶ୍ବର ଯାଏ ଚର୍ଚ୍ଚା ଜୋର୍ ଧରିଛି । ଅନୁସନ୍ଧାନ ବେଳେ ସାମ୍ନାକୁ ଆସିଥିବା ସ୍କୁଲ ସଭାପତି ତଥା ମାଲିକ ଗୋବିନ୍ଦ ସାହୁଙ୍କ କଲ୍ ରେକର୍ଡରେ ମନ୍ତ୍ରୀ ମିଶ୍ରଙ୍କ ନାଁ ଉଲ୍ଲେଖ ରହିଛି। ଅପହୃତା ମମିତାଙ୍କ ସଂପର୍କୀୟ ଦାଦାଙ୍କ ସହିତ କଥାବାର୍ତ୍ତା ବେଳେ ଘଟଣା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି କହୁଛନ୍ତି ଗୋବିନ୍ଦ । ଗୋବିନ୍ଦ ସବୁ ସମୟରେ ପାୱାର କରିଡରରେ ବ୍ୟକ୍ତିଙ୍କ ସହିତ ମିଳାମିଶା କରୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଏପରିକି ମନ୍ତ୍ରୀମାନେ ହେଲିକେପ୍ଟରରେ ଆସି ତାଙ୍କ ସ୍କୁଲର କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ତାଙ୍କ ଘନିଷ୍ଠତା ନେଇ ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍କୁଲ ମାଲିକଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି । ଆଉ ଏକ ଭିଡିଓରେ ସେହି ଅନୁଷ୍ଠାନକୁ ହେଲିକପ୍ଟରରେ ଗସ୍ତ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ଅଭିଭାଷଣରେ ସେ କହିଥିଲେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବାରମ୍ବାର ଅନୁରୋଧକୁ ରକ୍ଷା କରି ସେ ମହାଲିଙ୍ଗ କଲେଜକୁ ଆସିଛନ୍ତି। ଏପରିକି ମନ୍ତ୍ରୀ ପ୍ରତାପ ଜେନା ମହାଲିଙ୍ଗ ଘରୋଇ ଅନୁଷ୍ଠାନକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେଭେନ୍ସା ସହ ତୁଳନା କରିଥିଲେ । ମାଲିକ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କେତେ ଘନିଷ୍ଠତା ରହିଛି, ତାହା ଏଥିରୁ ସ୍ପଷ୍ଟ ହୋଇଛି ।
ଏପଟେ ଗତ ୧୪ ତାରିଖରୁ ଅଟକ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହେବା ପରେ ବଲାଙ୍ଗୀର ଏସ୍ପି ତିନିଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏସ୍ପି ନିତିନ କୁଶଲକର କହିଛନ୍ତି ଯେ ନିଖୋଜ ମମିତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି । ଏହାସହ ଫେରାର ହୋଇଥିବା ଗୋବିନ୍ଦ ସାହୁଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ଗୋବିନ୍ଦ କେମିତି ଫେରାର ହେଲେ ସେ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସବୁର ତଦନ୍ତ ଚାଲିଛି; ତଦନ୍ତ ଚାଲିଥିବାରୁ କିଛି କହିହେବ ନାହିଁ ବୋଲି ସେ କହିଛନ୍ତି । ତେବେ ପୁଲିସ ହେପାଜତରେ ଥାଇ ଗୋବିନ୍ଦ ଖସିଯିବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତିନି ଜଣ ପୁଲିସଙ୍କୁ ନିଲମ୍ବିତ କରି ପୁଲିସ ଉପର ଠାଉରିଆ କାର୍ଯ୍ୟାନୁଷ୍ଠାନ ନେଇ ଲୋକଙ୍କୁ ଦୃଷ୍ଟି ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଗତକାଲି ପୁଲିସର ଭୂମିକାକୁ ନେଇ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଥିଲା । ସେମାନେ କହିଥିଲେ ଯେ ମମିତା ଗତ ୮ ତାରିଖରୁ ନିଖୋଜ ଥିଲେ ମଧ୍ୟ ତାଙ୍କୁ ଠାବ କରିବା ଲାଗି ପୁଲିସ ତତ୍ପରତା ଦେଖାଉନାହିଁ ।