ମମିତା ନିଖୋଜ, ଗୋବିନ୍ଦ ଫେରାର : କ’ଣ ଥିଲା ପୂରା ଘଟଣାକ୍ରମ ?

377

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ ସ୍କୁଲ ପାଖ ଷ୍ଟାଡ଼ିୟମ ହେଲା ସିଲ । ଆଜି ସକାଳର ଏହି ବଡ଼ ହଲଚଲ, ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନେଇ ସନ୍ଦେହ ବଢ଼ାଇ ଦେଇଛି । କାରଣ ଗତ ୮ ତାରିଖରୁ ନିଖୋଜ ଅଛନ୍ତି ଅଧ୍ୟକ୍ଷା ମମିତା ମେହେର । ଷ୍ଟାଡ଼ିୟମ ପରିସରରେ ମାଟି ଖୋଳିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ ଷ୍ଟାଡ଼ିୟମର ଦକ୍ଷିଣ ପୂର୍ବ କୋଣରେ ମାଟି ଖୋଳା କାମ ଆରମ୍ଭ ହୋଇଛି । ସ୍କୁଲ ପରିସରରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଅଛନ୍ତି । ମମିତା ମେହେରଙ୍କୁ ମାରି ମାଟିରେ ପୋତି ଦିଆଯାଇଥାଇ ପାରେ ବୋଲି ସନ୍ଦେହ ବଢ଼ିବାରେ ଲାଗିଛି ।

କ’ଣ ଥିଲା ପୂରା ଘଟଣାକ୍ରମ ?

– ୮ ତାରିଖରେ ଜରୁରୀ କାଗଜପତ୍ର ଧରି ସ୍କୁଲକୁ ଆସିବା ପାଇଁ ମମିତାଙ୍କୁ କହିଥିଲେ ମାଲିକ ଗୋବିନ୍ଦ ସାହୁ
– ୧୨ ତାରିଖରେ ଝିଅ ନିଖୋଜ ନେଇ କେ ଗାଁ ଥାନାରେ ଅଭିଯୋଗ କରିଥିଲେ ମମିତାଙ୍କ ପରିବାର
– ଅପହରଣ ପଛରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ
– ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ
– ୧୭ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ
– ସୋମବାର ଏହି ଖବରକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୋରଦାର ଆକ୍ରମଣ କଲେ ବିରୋଧୀ
– ଆଜି ସକାଳୁ ଖବର ଆସିଲା ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମକୁ ସିଲ୍ କରି ମାଟି ଖୋଳୁଛି ପୋଲିସ

ସେପଟେ, ସନସାଇନ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ଜଣେ ସମ୍ପର୍କୀୟ ଫୋନ କଲ ରେକର୍ଡ ଏବେ ସାମ୍ନାକୁ ଆସିଛି । ଫୋନ କଲରେ ଗୃୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ କଥାବାର୍ତା ହେଉଛନ୍ତି । ମନ୍ତ୍ରୀ ଫୋନ ଉଠାଉ ନାହାନ୍ତି ଏବଂ ସେ ଭବାନୀପାଟଣାରେ ଅଛନ୍ତି କି ନାହିଁ ସେ ଜାଣିନାହାନ୍ତି । ତେବେ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟ ସ୍ତରରେ ଚେଷ୍ଟା କରିବେ ବୋଲି କହିଥିଲେ ଗୋବିନ୍ଦ ସାହୁ । ମିଳିଥିବା ସୂଚନା ଅନୁସାରେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଏଭଳି କିଛି କଥାବାର୍ତ୍ତା କରିଥିଲେ । ଏବଂ ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇଥିଲେ । ଆଉ ଗୋବିନ୍ଦ ଏବେ ନିଜେ ଫେରାର ହୋଇଯାଇଛନ୍ତି ।

ଅନ୍ୟପକ୍ଷରେ ଗୋବିନ୍ଦଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଇପିସି ୩୬୬ ଧାରାରେ ରୁଜୁ ହୋଇଥିଲା ମାମଲା । ଏଥିରେ ୧୦ ବର୍ଷର ଜେଲ ଦଣ୍ଡାଦେଶ ଥିବାରୁ ଥାନାରୁ ନୋଟିସ୍ ଦେଇ ଛାଡିପାରିବ ନାହିଁ ପୁଲିସ । ତେଣୁ କେଉଁ କାରଣରୁ ୧୪ ତାରିଖଠାରୁ ରବିବାର ରାତି ପର୍ଯ୍ୟନ୍ତ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ପୋଲିସ ? ତାଙ୍କୁ କାହିଁକି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିନଥିଲା ପୁଲିସ ? ରାତିରେ ବାରାକରେ ଏତେ ପୋଲିସ କର୍ମଚାରୀ ଥାଇ କେମିତି ଚକମା ଦେଇ ଫେରାର ମାରିଲା ମୁଖ୍ୟ ଅଭିଯୁକ୍ତ ? ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠତାକୁ ନେଇ ବିରୋଧୀ ନାନା ଅଭିଯୋଗ ଉଠାଉଛନ୍ତି । ତେଣୁ କାହା ଇଶାରାରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିନଥିଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।