କନକ ବ୍ୟୁରୋ: କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ ଆସାମର ଏହି ଲେଡି ସିଂଘମଙ୍କ କାହାଣୀ । କିଛି ମାସ ହେବ କାର୍ଯ୍ୟ ଦକ୍ଷତା ପାଇଁ ଖୁବ ଚର୍ଚ୍ଚାରେ ରହିଆସୁଥିଲେ ଏହି ପୋଲିସ ଅଧିକାରୀ । ହେଲେ ଏବେ ନିଜେ ବନ୍ଧା ହୋଇଛନ୍ତି । ଆମେ କହୁଛୁ ଆସାମର ‘ଲେଡି ସିଂଘମ୍’ ଭାବେ ପରିଚିତ ଆସାମ ରାଜ୍ୟ ପୋଲିସର ସବ୍- ଇନ୍ସପେକ୍ଟର  ଜୁନମଣି ରାଭା ।

Advertisment

ଦିନେ ଏକ ଠକେଇ ଓ ଦୁର୍ନୀତି ମାମଲାରେ ନିଜ ଭାବି ସ୍ୱାମୀକୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ । ହେଲେ ଏହି ଘଟଣାରେ ଏବେ ବଡ ଧରଣର ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ହାୱା ଖୁଆଉଥିବା ଜୁନମଣି ଏବେ ନିଜେ ଗିରଫ ହୋଇଛନ୍ତି । ଦୁର୍ନୀତି ଜାଲରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି । ପୂର୍ବତନ ପ୍ରେମିକଙ୍କ ସହ ମିଶି ଏକାଧିକ ଭ୍ରଷ୍ଟାଚାର କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ମାମଲା ପୁରା ଫିଲ୍ମ ଷ୍ଟାଇଲ ।

ଠକେଇ ମାମଲାରେ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରି ଭାରି ପ୍ରଶଂସା ସାଉଁଟୁଥିଲେ । ହେଲେ ଏହା ପଛରେ ଥିଲା ଆଉ କିଛି ସତ । ଯାହା ଜଣାପଡିବା ପରେ ପୁରା ଡିପାର୍ଟମେଣ୍ଟର ଆଶ୍ଚର୍ଯ୍ୟର ସୀମା ନଥିଲା । କାରଣ ଭାବି ସ୍ୱାମୀଙ୍କୁ ଗିରଫ କରିଥିବା ସବଇନ୍ସପେକ୍ଟର ନିଜେ ଥିଲେ ଏହି ଠକେଇ ମାମଲାର କାର୍ପଟଦାର । ନିଜ ପ୍ରେମିକ ତଥା ଭାବି ସ୍ୱାମୀଙ୍କ ସହ ମିଶି ଅନେକ ଠକେଇ ଓ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ଏବେ ସବୁଠାରୁ ବଡ ଖବର ପାଲଟିଛି ।

ଘଟଣା ଥିଲା କିଛି ଏପରି । ସବଇନ୍ସପେକ୍ଟର ଜୁନମଣି ରାଭା ଗତ ୧ ବର୍ଷ ହେବ ରାଣା ପୋଗାଭଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ । କେବଳ ଏତିକି ନୁହେଁ ଗତ ବର୍ଷ ଅକ୍ଟୋବର ମାସରେ ଦୁହେଁ ବିବାହ ନିଷ୍ପତ୍ତି ନେଇ ନିର୍ବନ୍ଧ ମଧ୍ୟ କରିଥିଲେ । ରାଣା ନିଜକୁ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ଜନସମ୍ପର୍କ ଅଧିକାରୀ ବୋଲି ପରିଚୟ ଦେଉଥିଲା । ଆଉ ନିଜର ମିଛ ପଦବୀର ସୁଯୋଗରେ ଲୋକଙ୍କୁ ଚାକିରି କରାଇଦେବ ବୋଲି କହି ଟଙ୍କା ଲୁଟୁଥିଲା । ଏଥିରେ ସହଯୋଗ କରୁଥିଲେ ଖୋଦ୍ ସବଇନ୍ସପେକ୍ଟର ଜୁନମଣି ରାଭା । ସୂଚନା ମୁତାବକ, ଏପରି ଭାବେ ଦୁହେଁ ଲକ୍ଷଲକ୍ଷ ଟଙ୍କା ଠକିଥିଲେ । ହେଲେ କଥାରେ ଅଛି ଚୋର ଘର ଦିନେ ନା ଦିନେ ଆଲୋକ ହୁଏ ।

 ଗତ କିଛି ଦିନ ତଳେ ଜୁନମଣିଙ୍କ ବିରୋଧରେ ଏକ ଅଭିଯୋଗ ଆସିଥିଲା । ମିଳିଥିବା ସୂଚନା ମୁତାବକ, ମାଜୁଲିରେ କାର୍ଯ୍ୟରତ ଥିବାବେଳେ ଜୁନମଣି ୨ଜଣ ଠିକାଦାରଙ୍କୁ ପୂର୍ବତନ ପ୍ରେମିକ ରାଣା ପୋଗାମଙ୍କ ସହ ପରିଚିତ କରାଇଥିଲେ । କିଛି କାମ ପାଇଁ ଡିଲ ମଧ୍ୟ କରିଥିଲେ । ହେଲେ ଏହି ଘଟଣାକୁ ନେଇ ଦୁଇ ଠିକାଦାର ଜୁନମଣିଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ତାଙ୍କୁ ଲଗାତାର ୨ ଦିନ ଜେରା କରିଥିଲା ପୋଲିସ । ଆଉ ଜେରା ସମୟରେ ସବୁ ସତ ଓଗାଳିଥିଲେ ସବଇନ୍ସପେକ୍ଟର ଜୁନମଣି ରାଭା ।

ରାଭାଙ୍କୁ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଛି । ତାଙ୍କୁ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।