ଯୌନ ନିର୍ଯାତନାରେ ଶିକାର ହୋଇ ଆତ୍ମହତ୍ୟା କଲେ ବ୍ୟାଘ୍ର ଅଭୟାରଣ୍ୟର ଲେଡି ସିଂଘମ ଦୀପାଳୀ ଚଭନ । ଆତ୍ମହତ୍ୟା ନୋଟରେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

1,737

କନକ ବ୍ୟୁରୋ : ମହାରାଷ୍ଟ୍ର ଅମରାବତରୀ ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରେ ନିୟୋଜିତ ୨୮ ବର୍ଷିୟ ମହିଳା ବନ ଅଧିକାରୀ ଦୀପାଳୀ ଚଭନ ନିଜ ବନ୍ଧୁକରୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାରଦିନ ବିଳମ୍ବିତ ରାତିରେ ହରିମଲ ଗାଁ ନିକଟରେ ଥିବା ନିଜ ସରକାରୀ ବାସଭବନ ଠାରେ ସେ ଏଭଳି କରିଛନ୍ତି । ବନ୍ଧୁକ ସହିତ ତାଙ୍କର ରକ୍ତ ଜୁଡୁବୁଡୁ ଶବକୁ ସଂପର୍କୀୟ ଓ ସହଯୋଗୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି  ।

ଜଙ୍ଗଲ ମାଫିଆଙ୍କ ବିରୋଧରେ ତାଙ୍କର ଲଢେଇକୁ ନେଇ ସାରା ମହାରାଷ୍ଟ୍ରରେ ଲେଡି ସଂଘମ୍ ନାମରେ ସେ ପରିଚିତ ଥିଲେ । ତାଙ୍କ ସ୍ୱାମୀ ରାଜେଶ ମୋହିତେ ଚିଖଲାଧାରା ଟ୍ରେଜେରୀରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ସବୁଠାରୁ ବଡକଥା ହେଉଛି ଦୀପାଳୀ ଲେଖିଥିବା ତାଙ୍କ ସୁଇସାଇଡ୍ ନୋଟ୍ । ସେ ତାଙ୍କ ସୋଇସାଇଡ ନୋଟରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଲେଖିଛନ୍ତି । ଘରୁ ବାହାରିଲେ ଜଙ୍ଗଲମାଫିଆଙ୍କ ହୋସ୍ ଉଡିଯାଉଥିଲା । ସେଭଳି ଜଣେ କର୍ମଚାରୀ ନିଜ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ସେ ଲେଖିଛନ୍ତି । ସେ ଲେଖିଛନ୍ତି କି ତାଙ୍କୁ ତାଙ୍କର ଉପରିସ୍ଥ ଅଧିକାରୀ ଶିବକୁମାର ମାନସିକ ଓ ଯୌନ ନିର୍ଯାତନା ଦେଉଥିଲେ । ଯେଉଁଥିରେ ଅସହ୍ୟ ହୋଇ ସେ ଆତ୍ମହତ୍ୟା କରିଛନ୍ତି ।

କହିରଖୁ କି ଦୀପାଳୀ କିଛିଦିନ ପୂର୍ବରୁ ଶିବକୁମାରଙ୍କ ବିରୋଧରେ ଏମଟିଆର ଫିଲ୍ଡ ଡାଇରେକ୍ଟର ଏମ୍.ଏସ୍ ରେଡ୍ଡିଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଶ୍ରୀ ରେଡ୍ଡି ଏହି ଅଭିଯୋଗ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏହାପରେ ଦୀପାଳୀ ଶିବକୁମାର କିଭଳି କାର୍ଯ୍ୟରେ ଥିବା ବେଳେ ମଦ୍ୟପାନ କରି ତାଙ୍କ ସହ ଅଭଦ୍ର ବ୍ୟବହାର କରୁଛନ୍ତି ତାହା ପ୍ରକାଶ କରିଥିଲେ । ଏହାସହ ତାଙ୍କସହ ଯୌନ ସଂପର୍କ ରଖିବାକୁ ଶିବ କୁମାର ତାଙ୍କୁ ବାଧ୍ୟ କରୁଥିବା କଥା ସେ କହିଥିଲେ । ଦୀପାଳୀ ବାରମ୍ବାର ଏଭଳି ଅଭିଯୋଗ ଆଣିବା ପରେ ଶିବକୁମାର ତାଙ୍କୁ ଅଧିକ କାମର ବୋଝ ଦେବା , ମାନସିକ ନିର୍ଯାତନା ଦେବା ସହ ଗୋଟିଏ ମାସର ଦରମା ଅଟକାଇ ଦେଇଥିଲେ । ଏସବୁ ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ନିଷ୍ପତ୍ତି ନେଇଥିବା କଥା ସୁଇସାଇଡ ନୋଟରେ ଲେଖିଛନ୍ତି ଲେଡି ସିଙ୍ଘମ୍ ଦୀପାଳୀ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଦୀପାଳୀଙ୍କ ଶବ ନେଇ ନାହାନ୍ତି ତାଙ୍କ ପରିବାର ଲୋକେ । ସେମାନେ କହିଛନ୍ତି କି ସୁଇସାଇଡ ନୋଟରୁ ସ୍ପଷ୍ଟ ହୋଇଛି କି ଦୀପାଳୀଙ୍କ ଆତ୍ମହତ୍ୟା ପାଇଁ ଶିବକୁମାର ଦାୟୀ । ତେଣୁ ବିଭାଗ ତରଫରୁ ଶିବକୁମାରଙ୍କୁ ଗିରଫ୍ ନକରାଯିବା ଯାଏଁ ସେମାନେ ଦୀପାଳୀଙ୍କ ଶବ ନେବେ ନାହିଁ କି ଅନ୍ତିମ ସଂସ୍କାର କରିବେ ନାହିଁ । ପରିବାର ଲୋକଙ୍କ ଏହି ଦାବି ପରେ ଅମରାବତୀ ପୋଲିସ ଡେପୁଟି କଞ୍ଜରଭେଟର ଅଫ୍ ପୋଲିସ (ଡିସିଏଫ୍) ଶିବକୁମାରଙ୍କୁ ନାଗପୁର ରେଳ ଷ୍ଟେସନ ଠାରୁ ଗିରଫ୍ କରିଛି ।